ନାଫେଡ଼ ଜରିଆରେ ଆଳୁ ବିକ୍ରି ଆରମ୍ଭ, ତଥାପି ଦରରେ ଲାଗୁନି ବ୍ରେକ

ଭୁବନେଶ୍ୱର: ଆଳୁ ଦରରେ ଲାଗୁନି ବ୍ରେକ । ମାସେ ହେଲାଣି ହନ୍ତସନ୍ତ ହେଉଛନ୍ତି ଖାଉଟି। ଖାଲି ହୋଇଗଲାଣି ଆଳୁ ଗଦି। ହାତ ଗଣତି କେଇଟା ଦୋକାନରେ ଉପଲବ୍ଧ ହେଉଛି । ତାହା ପୁଣି ସ୍ବଳ୍ପ ପରିମାଣର । ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ବାଭାବିକ ହୋଇ ପାରୁ ନାହିଁ। ଉତ୍ତର ପ୍ରଦେଶରୁ ମଧ୍ୟ ଯଥେଷ୍ଟ ଆଳୁ ଯୋଗାଣ ସମ୍ଭବ ହେଉନି । ଫଳରେ ଆଳୁ ସଂକଟ ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଖୁଚୁରା ବଜାରରେ ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ସେପଟେ ଆଳୁ କଳାବଜାରୀ ରୋକିବାକୁ ଏକ ଚଢ଼ାଉ କରିଛି ଯୋଗାଣ ବିଭାଗ । ମନ୍ତ୍ରୀ କହିଛନ୍ତି ଓଡିଶାରେ ଆଉ ନାହିଁ ଆଳୁ ସଙ୍କଟ । ନାଫେଡ଼ ଜରିଆରେ ଆଳୁ ବିକ୍ରି ଆରମ୍ଭ ହୋଇଛି । ଦିନକୁ ୫ ହଜାର ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ଯାହା ଆସୁଛି ସମୁଦ୍ରକୁ ଶଂଖେ ଭଳି ।

ଅନ୍ୟପଟେ ଆଳୁ ସଙ୍କଟ ବେଳେ ଏବେ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆସିଛି । ବର୍ତ୍ତମାନ ୧୦୦ ଟଙ୍କାରେ ପାଇବେ ୩ କିଲୋ ଆଳୁ । ପରିବାର ପିଛା ୩ କିଲୋ ଆଳୁ ମିଳିବ । ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ଗତକାଲି ଏପରି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ ଭୁବେନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ୯୫ ରୁ ଅଧିକ ଡିଲରଙ୍କୁ ଆଳୁ ବିକ୍ରି କରିବ ଯୋଗାଣ ବିଭାଗ । ରାଜଧାନୀର ପ୍ରାୟ ୧୦୦ ଜଣ ଡିଲରଙ୍କୁ ଆଳୁ ଯୋଗାଇବି ଯୋଗାଣ ବିଭାଗ । ୩ କେଜିକୁ ୧୦୦ଟଙ୍କାରେ ବିକ୍ରି କରିବେ ଡିଲର । ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଆଳୁ ବିକ୍ରି କରିବେ ଡିଲର । ପରିବାର ପିଛା ୩ କେଜି ଆଳୁ ବିକିବେ ଡିଲର । ଉଭୟ କାର୍ଡ ଧାରୀ ଓ ବିନା କାର୍ଡ ଧାରୀ ପରିବାର ବି ପାଇପାରିବେ ଆଳୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.