ଆଳୁ ଦର ଶୁଣି ଗ୍ରାହକ ଛାନିଆ: କେଉଁଠି କିଲୋ ପିଛା ୪୫ ତ କେଉଁଠି ୫୦ ଛୁଇଁଲାଣି

ରାଜ୍ୟରେ ବେଲଗାମ ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ ହୋଇଯାଇଛି । ସେଥିପାଇଁ ଅଣାୟତ୍ତ ହେଉଛି ଆଳୁ ଦର। ଆଳୁ ଉପରେ ସାଧାରଣତଃ ସମସ୍ତ ରାଜ୍ୟ ପଶ୍ଚିମବଙ୍ଗ ଉପରେ ନିର୍ଭର କରନ୍ତି । ତେବେ ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟ ପାଇଁ ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଏଥିପାଇଁ ହଠାତ ଆଳୁଦର ବସ୍ତା ପ୍ରତି ୫୦୦ଟଙ୍କା ବଢିଛି । ଖୁଚୁରା ବଜାରରେ ଆଲୁ କିଲୋ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି । ଯଦି ଏଭଳି ସ୍ଥିତି ଲାଗି ରହେ ଆଗକୁ ସଙ୍କଟ ଆହୁରି ବଢିବ।

ସେହିପରି କଟକ ଛତ୍ରବଜାର ବ୍ୟବସାୟୀଙ୍କ ସୂଚନା ଅନୁସାରେ ଦୈନିକ ୧୦୦ରୁ ୧୨୦ ଟନ୍ ଆଳୁ ଆମଦାନୀ ହୋଇଥାଏ। ଏହି ଆଳୁ କଟକ ଜିଲ୍ଲା ସମେତ ଆଖପାକ ଜିଲ୍ଲାଗୁଡ଼ିକରେ ଚାହିଦା ମେଣ୍ଟାଇଥାଏ । ହେଲେ ଜମା ଆଳୁ ନଆସିବାରୁ ଦର ବୃଦ୍ଧି ସ୍ଥିତି ଉପୁଜିଥିବା ବ୍ୟବସାୟୀ କହିଛନ୍ତି । ଆଳୁ କେଜି ୪୦, ପିଆଜ ୪୫ ଛୁଇଁଲାଣି । ଅଧିକାଂଶ ପରିବା କିଲୋ ଦର ୮୦ ଟଙ୍କା ଡେଇଁଛି । ବାଇଗଣ କିଲୋ ଶହେ, ପୋଟଳ ୮୦ ଟଙ୍କା, କ୍ୟାପ୍ସିକମ ୯୦, ଜହ୍ନି ୭୦ ଟଙ୍କା, କଲରା ଶହେ ଟଙ୍କା ଓ କାଙ୍କଡ଼ କିଲୋ ୮୦ ଟଙ୍କା ଟପିଲାଣି । ଝୁଡ଼ଙ୍ଗ ୧୨୦ ଟଙ୍କା, ଟମାଟୋ ଶହେ ଟଙ୍କା ରହିଛି। ଅଧିକାଂଶ ପରିବା ଦର ୮୦ ଟଙ୍କା ରହିଥିବା ଲୋକମାନେ କେଜିଏ ଜାଗାରେ ଲୋକମାନେ ଅଢ଼େଇ ଶହ ପରିବା କିଣୁଛନ୍ତି ।

କେଉଁଠି କେତେ ରହିଛି ଆଳୁ ଦର

ବ୍ରହ୍ମପୁର ୫୦

ଭୁବନେଶ୍ୱର ୪୫

ବାଲେଶ୍ୱର ୪୦

ମାଲକାନଗିରି ୪୦

ମୟୂରଭଞ୍ଜ ୪୦

ଯାଜପୁର ୪୦

ତେବେ ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ସରକାର ତୁରନ୍ତ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛି ରାଜ୍ୟ ବ୍ୟବସାୟୀ ସଂଘ । ଏ ଭିତରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଧର୍ମଘଟରୁ ଓହରିଥିବାରୁ ଆଗାମୀ ଦିନରେ ରାଜ୍ୟକୁ ଆଳୁ ଯୋଗାଣ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।