ଦୁଇ ଦିନରେ ଆଳୁ ସମସ୍ୟାର ହେବ ସମାଧାନ, ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରୋଷେଇଶାଳର ମୁଖ୍ୟ ପରିବା ହେଉଛି ଆଳୁ । କିନ୍ତୁ ରାଜ୍ୟରେ ଏବେ ଆଳୁ ଦର ବଢ଼ିବାକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି । କଞ୍ଚା ପରିବା ଅଧିକ ଦାମ୍ ଯୋଗୁଁ ଲୋକେ ଆଳୁରେ କାମ ଚଳାଉ ନେଉଥିଲେ । ଏବେ ତାହା ବି ହେଉନି । କେବଳ ଯେ, ଗ୍ରାହକଙ୍କୁ ବାଧୁଛି ତାହା ନୁହେଁ, ଅଧିକ ରେଟ୍ ଯୋଗୁଁ ବିକ୍ରି ବଟା ଭଲରେ ହୋଇପାରୁ ନଥିବାରୁ ବେପାରୀଙ୍କୁ ବି ଘାଟା । ଉଭୟ କିଣିବା ଲୋକ, ବିକିବା ଲୋକ ହେଉଛନ୍ତି ଛଟପଟ । ଏହାର ମୁଖ୍ଯ କାରଣ ପଶ୍ଚିମବଙ୍ଗରୁ ଓଡି଼ଶାକୁ ଆଳୁ ଆସୁନି ।

ସେପଟେ ଦିନେ ଦୁଇ ଦିନ ମଧ୍ୟରେ ଆଳୁ ସମସ୍ୟା ସମାଧାନ ହେବ । ଏନେଇ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀ ଓ ପଶ୍ଚିମବଙ୍ଗ ସରକାର ଆଲୋଚନା କରିଛନ୍ତି । ଗତ ୨୧ ରୁ ୨୪ ତାରିଖ ଯାଏଁ ପଶ୍ଚିମବଙ୍ଗରେ ଚାଷୀ ଆନ୍ଦୋଳନ ଚାଲିଥିଲା । ଯାହା ଏବେ ବନ୍ଦ ଅଛି । ସବୁ ଠିକ ହେବାକୁ ଆଉ ଦିନେ ଦୁଇ ଦିନ ଲାଗିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସୂଚନାଅନୁସାରେ ଗତକାଲି ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ । ତେଣୁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରି କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।