ପ୍ରଭାବ ପକାଇଲା ନବୀନଙ୍କ ଚିଠି, ପଶ୍ଚିମବଙ୍ଗରୁ ଆସୁଛି ଆଳୁ ଗାଡି : ଦେବୀ ପ୍ରସାଦ ମିଶ୍ର

ଭୁବନେଶ୍ୱର : ହାଫ୍ ସେଞ୍ଚୁରି ମାରିଛି ଆଳୁ । କେଉଁଠି ଏହାର ରେଟ୍ ୬୦ରେ ବି ପହଞ୍ଚିଛି ।  ବର୍ତ୍ତମାନର ମହଙ୍ଗା ମାଡ଼ରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ନଇଁ ପଡ଼ିଥିବାବେଳେ, ଆଳୁ ରେଟ୍ ସେଥିରେ ବଡ଼ ପ୍ରହାର କରିଛି ।  ଆଳୁ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି ନୀତି ଆୟୋଗ ବୈଠକରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ ନବୀନ ବାବୁ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅନୁରୋଧ କରିବା ପଶ୍ଚିମବଙ୍ଗ ଆଳୁ ଗାଡି ଛାଡ଼ିଛି । ଆଜି ଆଳୁ ଗାଡ଼ି ଆସୁଛି । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ନଆସିବା ଫଳରେ ରାଜ୍ୟରେ ଆଳୁ ଦର ହଠାତ ବଢ଼ି ଯାଇଛି ।

ସୂଚନା ଅନୁସାରେ ଗତକାଲି ନବୀନ ପଟ୍ଟନାୟକ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । ବିଜେଡି ସୁପ୍ରିମୋ ଏହା ଲେଖିଥିଲେ ଯେ ‘ଆପଣ ଜାଣନ୍ତି, ଆଳୁ ଆମ ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ବର୍ଷା ଯୋଗୁ ଓଡ଼ିଶା ବଜାରରେ ଆଳୁର ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଦରବୃଦ୍ଧି ହେତୁ ସାଧାରଣ ଜନତା ନାନା ହଇରାଣ ହେଉଛନ୍ତି ।  ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ପାଖାପାଖି ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ୍‌ର ଲମ୍ବା ଧାଡ଼ି ଲାଗିଛି ।

ପୂର୍ବରୁ ସମାନ ଘଟଣାରେ, ଆପଣଙ୍କର ମହାନ ଭାବନା ଆମ ଲୋକମାନଙ୍କୁ ପ୍ରେମ ଓ ଭଲପାଇବା ଦେଇଛି । ଓଡ଼ିଶାର ଲୋକ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ଦୃଢ଼ ସାଂସ୍କୃତିକ ସମ୍ବନ୍ଧ ରହିଛି ଏବଂ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାପୂର୍ବକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଓଡ଼ିଶାକୁ ସ୍ୱାଭାବିକ ଆଳୁ ଯୋଗାଣ ନିଶ୍ଚିତ କରନ୍ତୁ । ମୁଁ ଓଡ଼ିଶାର ଲୋକଙ୍କ ପାଇଁ ଆପଣଙ୍କ ସହଯୋଗ କାମନା କରୁଛି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like