କେବେ କମିବ ଆଳୁ ଦର ? ଖୁଚୁରା ବଜାରରେ ଏବେ ବି ୪୦ରେ ହେଉଛି ବିକ୍ରି

କଟକ : ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍ ଦେଲାଣି ଆଳୁ। ଆଳୁ ଦରରେ ଲାଗିଛି ନିଆଁ । ସପ୍ତାହେ ହେଲାଣି କମୁ ନାହିଁ ଆଳୁ ଦର । ଆଜି ମଧ୍ୟ କଟକ ଛତ୍ର ବଜାରରେ ଉଚ୍ଚ ରହିଛି ଆଳୁ ଦର। ହୋଲ୍ ସେଲ ବଜାରରେ କିଲୋ ପିଛା ୨୫ ରୁ ୩୨ ଟଙ୍କାରେ ବିକ୍ରି ହେଉଛି ଆଳୁ । ୪୭ କେଜି ଆଳୁ ଭର୍ତ୍ତି ଥିବା ପ୍ୟାକେଟର ମୂଲ୍ୟ ଆଜି ୧୫୫୦ ଟଙ୍କା ରହିଛି । ଖୁଚୁରା ବଜାରରେ ଆଳୁ କିଲୋ ପିଛା ୪୦ ଟଙ୍କା ଭିତରେ ବିକ୍ରି କରାଯାଉଛି ବୋଲି ଛତ୍ର ବଜାର ବ୍ୟବସାୟୀ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ଏପର୍ଯ୍ୟନ୍ତ ସ୍ଵାଭାବିକ ହୋଇ ନାହିଁ । ଅନ୍ୟ ବାଟ ଦେଇ ଗାଡି ବୁଲିକି ଆସୁଛି। ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଆଳୁ ଆଣିବା ନେଇ ଯେଉଁ ନିଷ୍ପତି ନେଉଛନ୍ତି ତାକୁ ଆମେ ସ୍ବାଗତ କରୁଛୁ। ସେଠାରୁ ଆଳୁ ଆସିବା ପରେ ଜଣା ପଡ଼ିବ କଣ ଦର ରହିବ।
ଅନ୍ୟପଟେ ଓଡିଶାରେ ଆଳୁ ସଙ୍କଟ ଦେବା ଦେବା ପରେ ସରକାର ଚରମ ନିଷ୍ପତ୍ତି ନେଇଛନ୍ତି । ଏଣିକି ପଶ୍ଚିମବଙ୍ଗ ନୁହେଁ, ଉତ୍ତର ପ୍ରଦେଶରୁ ଆସିବ ଆଳୁ । ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍ କରାଯିବ। ପରେ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଉତ୍ତରପ୍ରଦେଶରୁ କିଛି ଆଳୁ ଟ୍ରକ ଆସି ଓଡ଼ିଶାରେ ପହଞ୍ଚିଛି । ଆଗାମୀ ଦିନରେ ଅଧିକ ପରିମାଣର ଆଳୁ ଆସିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।