ଧୀରେ ଧୀରେ କମୁଛି ମାଡ଼ି ଘୋଡ଼ାର ଆଦର, କୂଳ ବେଉସା ଛାଡ଼ିବାକୁ ବସିଲେଣି କାରିଗର

ବାସୁଦେବପୁର: ପାଖେଇ ଆସିଲାଣି ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଓଡିଆ ପରମ୍ପରା ଓ ସଂସ୍କୃତି ଅନୁସାରେ ସଂକ୍ରାନ୍ତି ଦିନ ଭକ୍ତମାନେ ଠାକୁରାଣୀଙ୍କ ପାଖରେ ଘୋଡା ଚଢାଇଲେ ସବୁ ମାନସିକ ପୂରଣ ହୁଏ । ଆଉ ଚଉରା ମୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବେଲରେ ତିଆରି ପଣା ଲାଗି ପାଇଁ ମାଟି ହାଣ୍ଡି ଠେକିର ଆବଶ୍ୟକ ହେଇଥାଏ । ଏଥିପାଇଁ ମାଟିଘୋଡା ଓ ଠେକିର ଚାହିଦା ବେଶ ରହିଛି ।
ସଂକ୍ରାନ୍ତିର ପ୍ରାୟ ମାସକ ପୂର୍ବରୁ ମାଟି ଘୋଡା ବ୍ୟବସାୟୀମାନେ ଦିନ ରାତି ଏକ କରି ଘୋଡା , ଠେକି , ମାଟି ହାଣ୍ଡି ତିଆରି କରିବାରେ ଲାଗିପଡିଥାନ୍ତି । ଏହାକୁ ବିକ୍ରି କରି ବର୍ଷ ସାରା ପରିବାର ଚଳୁଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାହାଯ୍ୟ କରିଥାନ୍ତି । ବ୍ୟବସାୟୀମାନେ ସଂକ୍ରାନ୍ତି ପୂର୍ବରୁ ହଜାର ହଜାର ମାଟି ଘୋଡା, ଠେକି ତିଆରି କରିସାରିଛନ୍ତି । ହେଲେ ବିକ୍ରି ହେଉନଥିବାରୁ ହଜାର ହଜାର ଟଙ୍କାର ଘୋଡା ଓ ଠେକି ସେମିତି ପଡିରହିଛି । ବିକ୍ରି ନହୋଇପାରିବାରୁ କେମିତି କୁମ୍ଭାର ପରିବାରମାନେ ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଅଛନ୍ତି ।
ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳ ସମେତ ବିନାୟକପୁର ଜଣେ ନୁହେଁ କି ଦୁଇଜଣ ନୁହେଁ । ଗାଁରେ ପାଖାପାଖି ୫୦ ରୁ ଉର୍ଦ୍ଧ କୁମ୍ଭାର ପରିବାର ମାଟି ଘୋଡା, ଠେକି ସହିତ ମାଟିରେ ତିଆରି ବିଭିନ୍ନ ସଂରଞ୍ଜାମ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ସମସ୍ତଙ୍କର ପ୍ରାୟ ସମାନ ଅବସ୍ଥା । ଦୀର୍ଘ ଦିନ ଧରି କୁଳ ବେଉସାକୁ ଆପଣେଇ ଥିବା ପରିବାର ଏବେ କଣ କରିବ ଜାଣିପାରୁ ନାହିଁ । ମାଟି ତିଆରି ସରଞ୍ଜାମ ପ୍ରସ୍ତୁତ କରିବାକୁ ମାଟି ଓ ବାଲି କିଣିବାକୁ ପଡିଥାଏ । ପରେ ମାଟିରେ ଚକ ସାହାଯ୍ୟରେ ସରଞ୍ଜାମ ପ୍ରସ୍ତୁତ କରି ଜାଳେଣି କାଠରେ ତାକୁ ଜାଳି ପୋଡି ହାଣ୍ଡି ମାଠିଆ, ଘୋଡା, ଠେକି ତିଆରି କରିଥାନ୍ତି । ଫଳରେ ଆଧୁନିକତା ଯୁଗରେ ମାଟି ତିଆରି ସରଞ୍ଜାମର ଚାହିଦା ପୂର୍ବ ଭଳି ନାହିଁ । ସେଥିପାଇଁ ଗାଁ ଗାଁରେ ସାପ୍ତାହିକ ହାଟକୁ ବିକ୍ରି ପାଇଁ ଆସିଥିଲେ ସୁଧା ସେଠି ସମାନ ଅବସ୍ଥା । ନା ଗାଁ ଗାଁରେ ବୁଲିଲେ ବିକ୍ରି ହେଉଛି ନା ହାଟରେ ବିକ୍ରି ହେଉଛି । ଧିରେ ଧିରେ ବିକ୍ରିବଟା ବନ୍ଦ ହେଇଯାଉଥିବାରୁ କୌଳିକ ବୃତ୍ତିକୁ ଛାଡିବାକୁ ଲାଗିଲେଣି କୁମ୍ଭାର ପରିବାର । ଅନ୍ୟପଟରେ ସରକାରୀ ସହାୟତା ମଧ୍ୟ ମିଳୁନଥିବା କହିଛନ୍ତି ମାଟି କାରିଗର ।
ଆଧୁନିକତା ଯୁଗରେ ମାଟି ତିଆରି ସରଞ୍ଜାମ ଛାଡି ସିଲଭର, ପିତଳ ଓ ତମ୍ୱା ବାସନ ବ୍ୟବହାର ଫଳରେ ବୁଡିବାକୁ ବସିଲାଣି ଏମାନଙ୍କ କୂଳ ବେଉସା । କେମିତି ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ କୁମ୍ଭାର ପରିବାର ।
Also Read: ମା ଧାମରାଙ୍କୁ ପୂଜା କରନ୍ତି ବିଧବା କୈବର୍ତ୍ତ ମହିଳା, ମନସ୍କାମନା ପାଇଁ ଅର୍ପଣ କରନ୍ତି ମାଟି ଘୋଡ଼ା