ନୟାନ୍ତ କରୁଛି ଗୁଳୁଗୁଳି ଆଉ ବିଜୁଳି, ଲୋକେ ହେଉଛନ୍ତି ସନ୍ତୁଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଓଃ କି ଗରମ ଆଉ ଗୁଳୁଗଳି ! ଆଉ ସହି ହେଉନି ।… ବୋଧହୁଏ ଇଏ ହେଉଛି ଅଧିକାଂଶ ଲୋକଙ୍କ ପାଟିରୁ ଆପେ ଆପେ ବାହାରି ଆସୁଛି । କାରଣ ଗରମ ଓ ଗୁଳୁଗୁଳି ଏମିତି ବ୍ୟତିବ୍ୟସ୍ତ କରୁଛି ତାକୁ ସହ୍ୟ କରିବା ସହଜ ହେଉ ନାହିଁ । ପରିବେଶ ପୂରା ତାତି ଯାଉଥିବା ବେଳେ ଦେହରୁ ଗମ୍‌ ଗମ୍‌ ଝାଳ ବହୁଛି । ଫ୍ୟାନ୍‌ରେ ସାମାନ୍ୟ ଶାନ୍ତି ମିଳୁଥିବା ବେଳେ ଏସି କିଛି ଶୀତଳତା ଦେଇ କଷ୍ଟ ଲାଘବ କରୁଛି । ହେଲେ ଯାହାର ଏସି କିମ୍ବା କୁଲର ନାହିଁ ସେ ତ ସନ୍ତୁଳି ହେଉଛନ୍ତି ଗରମରେ । ଫ୍ୟାନ୍‌ ପବନ ବି ତାତିଲା ତାତିଲା ।
ପ୍ରଚଣ୍ଡ ଗରମରେ ମୁଣ୍ଡ କଣ ହୋଇ ଯାଉଛି । ଆଉ ତା ସାଙ୍ଗକୁ ଯଦି ବିଜୁଳି କଟିଲା ତାହାହେଲେ ତ କଥା ସରିଲା । ନା ଏସି ନା କୁଲର ଅବା ଫ୍ୟାନ୍‌ ସବୁ ଠପ୍‌ । ସେଠି କେବଳ ହାତପଙ୍ଖା କିମ୍ବା ଗାମୁଛା ବୁଲାଇ ନିଜକୁ ଶାନ୍ତ୍ୱନା ଦେବା କଥା ।

ରାଜ୍ୟ ସରକାର କହିଲେ ଆମ ପାଖରେ ଯଥେଷ୍ଟ ପରିମାଣର ଶକ୍ତି ବା ବିଜୁଳି ଅଛି । ତେଣୁ ପାଓ୍ଵାର କଟ୍‌ ହେଉ ନାହିଁ । ଯାହା ହେଉଛି କାଳବୈଶାଖୀ ଯୋଗୁଁ ନହେଲେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ । ହେଲେ ଭୁଲିଗଲେ ଯେ ଚଳିତ ବର୍ଷ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଏସି ଓ କୁଲର କିଣିବାକୁ ବାଧ୍ୟ କରିଛି । ନକିଣିବା ଲୋକ ବି କିଣିଛନ୍ତି । ଯାହାଫଳରେ ଗୋଟିଏ ଗୋଟିଏ ଘରେ ଏକାଧିକ ଏସି ଲାଗିଛି । ତେଣୁ ବିଜୁଳି ଖର୍ଚ୍ଚ ବଢ଼ି ଯାଇଛି ମାତ୍ରାଧିକ ଭାବେ । ଯାହାର ପ୍ରଭାବ ପଡୁଛି ବିଦ୍ୟୁତ୍‌ ବିଭାଗ ଉପରେ । ଆଉ ଅଧିକ ଲୋଡ୍‌ ଯୋଗୁଁ ବିଜୁଳି କଟୁଛି ଅଥବା କେଉଁଟି ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଛି ।

ଗାଁ ଗହଳିରେ ତ ଅଭ୍ୟାସ ଅଛି । ହେଲେ ରାଜଧାନୀ ବାସୀ ତ ଏମିତିରେ ଖୁବ୍‌ କମ୍‌ ପାଓ୍ଵାର କଟ ସାମନା କରନ୍ତି । ଏବେ ଭୀଷଣ ସନ୍ତୁଳି ହେଉଛନ୍ତି ।

ତେଣୁ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ବିଜୁଳିର ବଢୁଥିବା ଡିମାଣ୍ଡ ଉପରେ ମଧ୍ୟ ସରକାର ଏବଂ ବିଦ୍ୟୁତ୍‌ ବଣ୍ଟନକାରୀ ସଂସ୍ଥା ଧ୍ୟାନ ଦିଅନ୍ତୁ । ନଚେତ ବିଜୁଳି କଟିଲେ ଲୋକେ ତାତିବେ ଆଉ କିଛି ଏମିତି ଭୁଲ କରି ବସିବେ ଯାହା ଉଭୟଙ୍କ ପାଇଁ କ୍ଷତିକାରକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.