ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରେ ଚଢ଼ିଲା ମୂଷା, ସଟସର୍କିଟ ହୋଇ ୮ଟି ପଂଚାୟତରେ ଆଠ ଘଣ୍ଟା ବିଦ୍ୟୁତ୍ ସେବା ଠପ୍

ନବରଙ୍ଗପୁର(କେନ୍ୟୁଜ୍): ଏକ ମୂଷା ପାଇଁ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୮ ଟି ପଂଚାୟତରେ ଦୀର୍ଘ ୮ ଘଣ୍ଟା ଧରି ବିଦ୍ୟୁତ୍ ସେବା ଠପ ହୋଇଯାଇଥିଲା। ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଅଧା ଦିନ ନାକେଦମ ହେବାକୁ ପଡିଥିଲା । ଭୋର ୫:୩୦ ରୁ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୮ ଟି ପଂଚାୟତରେ ବିଦ୍ୟୁତ୍ ସେବା ଠପ ହୋଇଯାଇଥିବା ବେଳେ ଅପରାହ୍ନ ୨ଟା ପରେ ଉଭୟ ବ୍ଲକବାସୀ ବିଦ୍ୟୁତ୍ ସେବା ପାଇଥିବା ଦେଖିବାକୁ ମିଳିଛି।

ତେନ୍ତୁଳିଖୁଣ୍ଟି ସଦର ମହାକୁମାରେ ଟାଟା ପାୱାର କାର୍ଯ୍ୟାଳୟ ରହିଛି। ସେଠାରୁ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡ଼ାବାଇ, ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, ଦିଗି, ଲମତାଗୁଡା, ମଞ୍ଚଗାଁ ପଂଚାୟତ ଓ ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ଓ ଧଣ୍ଡରା ପଂଚାୟତ କୁ ବିଦ୍ୟୁତ୍ ସରବରାହ ହେଉଛି। ତେବେ ଗତକାଲି ଭୋର ୫:୩୦ ଘଣ୍ଟା ସମୟରେ ଏକ ମୂଷା ଟାଟା ପାୱାର କାର୍ଯ୍ୟାଳୟରେ ଥିବା ୫ ଏମଭିଏ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢି ଯାଇଥିଲା। ମୂଷାଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରେ ଚଢ଼ିଯାଇ ବିଦ୍ୟୁତ୍ ସମ୍ପର୍କରେ ଆସିବା ପରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।

electri

ଏହାପରେ ଉଭୟ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୮ ଟି ପଂଚାୟତରେ ବିଦ୍ୟୁତ ସେବା ଠପ ହୋଇ ଯାଇଥିଲା। ଏହାପରେ ତେନ୍ତୁଳିଖୁଣ୍ଟି ଟାଟା ପାୱାର କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିନେଶ କୁମାର ଷଡ଼ଙ୍ଗୀଙ୍କ ସମେତ ବିଦ୍ୟୁତ୍ କର୍ମଚାରୀ ସମୂହ ନିଆଁକୁ ଆୟୋତ କରିବା ପରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢ଼ୀଙ୍କ ନେତୃତ୍ୱରେ ଜୟପୁର ଇଞ୍ଜିନିୟର ଶୁଭେନ୍ଦୁ ସାହୁ ଓ ଜୟପୁର ଇଏମଆର ଷ୍ଟାଫ ତେନ୍ତୁଳିଖୁଣ୍ଟି ଟାଟା ପାୱାର କାର୍ଯ୍ୟାଳୟରେ ତୁରନ୍ତ ପହଂଚି ଅନ୍ୟ କର୍ମଚାରୀଙ୍କ ସହଯୋଗରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଜାଡ଼ିବାରେ ସକ୍ଷମ ହୋଇଥିଲେ। ତେବେ ବିଦ୍ୟୁତ୍ କର୍ମଚାରୀଙ୍କ ଦୀର୍ଘ ୮ ଘଣ୍ଟା ର ନିରନ୍ତର ପରିଶ୍ରମ ପରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.