ଗୋଟିଏ ପରେ ଗୋଟିଏ ଉଚ୍ଚତ୍ତମ ପର୍ବତ ଚଢ଼ି ଚାଲିଛନ୍ତି ପ୍ରଭାସିନୀ, କିନ୍ତୁ ଅର୍ଥ ସାଜୁଛି ବାଧକ

ଢେଙ୍କାନାଳ: ଆଜିର ନାରୀ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍‌ ନୁହଁନ୍ତି । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ପାହାଡ଼ ପର୍ବତ ଚଢ଼ିବା ସହଜ ନୁହେଁ କିନ୍ତୁ ଜଣେ ଯୁବତୀ ସବୁ ବାଧାବିଘ୍ନ ପରେ ବି ହାର ନମାନି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି । ଜଣେ ସଫଳ ପର୍ବତାରୋହୀ ହେବାର ଲକ୍ଷ୍ୟ ରଖି ଗୋଟିଏ ପରେ ଗୋଟିଏ ଉଚ୍ଚତ୍ତମ ପର୍ବତ ଚଢ଼ି ଚାଲିଛନ୍ତି ପ୍ରଭାସିନୀ । ଏହାରି ଭିତରେ ଓଡ଼ିଶା ସମେତ ଭାରତର ୨୪ଟି ରାଜ୍ୟର ବିଭନ୍ନ ପାହାଡ଼ ଚଢି ସାରିଲେଣି ସେ । ଆଉ ୪ଟି ରାଜ୍ୟ ଅତିକ୍ରମ କଲେ ପ୍ରଭାସିନୀ ପୁରା ଭାରତ ଅତିକ୍ରମ କରିବେ ।

କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ଥିଲେ ସବୁକିଛି ସମ୍ଭବ । ଏହାକୁ ସଫଳ କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗାଲପଡା ପଞ୍ଚାୟତ ବେରୁଆଁପାଳ ଗାଁର ପ୍ରଭାସିନୀ ବେହେରା । ଗରିବ ପରିବାରର ସଦସ୍ୟ ହୋଇଥିଲେ ସୁଦ୍ଧା ନିଷ୍ଠାର ସହ ଜଣେ ସଫଳ ପର୍ବତାରୋହୀ ହୋଇ ଜିଲ୍ଲା ତଥା ରାଜ୍ୟର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଗାଁ ସ୍କୁଲରୁ ଦଶମ ପାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସ ଅନର୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଓଡିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ ଗୁରୁ ଗଣେଷ ଚନ୍ଦ୍ର ଜେନାଙ୍କଠାରୁ ପ୍ରଶିକ୍ଷଣ ଏବଂ ମହିଳା ଏଭରେଷ୍ଟ ଆରୋହଣକାରୀ ସ୍ବର୍ଗତ କଳ୍ପନା ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦୁଃସାହସିକ କ୍ରୀଡା ଆଥଲେଟରେ ପାଦ ଥାପି ୨୦୧୯ରୁ ପର୍ବତ ଆରୋହଣ ଅଭିଯାନ ଆରମ୍ଭ କରିଥିଲେ।

୨୦୧୯ ମସିହା ଅଗଷ୍ଟ ୧୨ ତାରିଖରେ ଉତ୍ତରାଖଣ୍ଡର ମାଉଣ୍ଟ ସାଇରିଟପ୍ ରେ ପ୍ରଥମ ଥର ପାଇଁ ପର୍ବତରେ ପାଦ ଥାପିଥିଲେ । ତାପରେ ୮ ନଭେମ୍ବର ୨୦୧୯ରେ ଲଦାଖର ମାଉଣ୍ଟ ଷ୍ଟକଂଙ୍ଗ୍ରି, ଓଡ଼ିଶାର ଦେଓମାଳି, ମହେନ୍ଦ୍ରଗିରି, ମହାରାଷ୍ଟ୍ରର କାଲସୁବାଇ, ଗୋଆର ସୋନସାଗର, କର୍ଣ୍ଣାଟକର ମୂଲୟନଗିରି, କେରଳର ଆନାମୁଡି, ତାମିଲନାଡୁର ଦାଦା ବେଟା ଆଦି ୨୪ଟି ରାଜ୍ୟର ପର୍ବତାରୋହଣ କରି ସାରିଥିବାବେଳେ ଆଉ ଚାରୋଟି ରାଜ୍ୟ ବାକି ରହିଛି । ଏହାକୁ ସମ୍ପୂର୍ଣ୍ଣ କରିବା ପରେ ସାଉଥ ଆଫ୍ରିକାର କିଲିମାଞୋର ଏବଂ ରୁଷିଆର ଏଲବ୍ରସ ପର୍ବତାରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି ।

ଗରିବ ପରିବାରରୁ ଆସିଥିଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ବାଧକ ସାଜିଛି ଅର୍ଥ । ବାପା ମା’ଙ୍କ ଆଶୀର୍ବାଦ ପରିବାର ସଦସ୍ୟଙ୍କ ସହଯୋଗରେ ପ୍ରଭାସିନୀ ଆଜି ୨୪ ରାଜ୍ୟର ବିଭିନ୍ନ ପର୍ବତ ଆରୋହଣ କରିସାରିଛନ୍ତି । ପ୍ରଶାସନ ଏବଂ ସରକାରଙ୍କର କିଛି ସାହାଯ୍ୟ ମିଳିଲେ ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ଏବଂ ଜିଲ୍ଲା, ରାଜ୍ୟ ତଥା ଦେଶର ନାଁ ରଖିବେ ବୋଲି ଆଶା ବାନ୍ଧିଛନ୍ତି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।