ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲା: ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
କଟକ(କେନ୍ୟୁଜ୍): ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ଏହି ମାମଲାର ଶୁଣାଣି କରି ମାମଲାର ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୯ ତାରିଖକୁ ଧାର୍ଯ୍ୟ କରିଛନ୍ତି। କମିଶନରେଟ ପୋଲିସ ନିକଟରେ ଦେଇଥିବା ଏତାଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ପିଟିସନ ମାଧ୍ୟମରେ ସେ ହାଇକୋର୍ଟଙ୍କୁ ଜଣାଇଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ଏହି ଏତଲା କରିଥିଲେ ।
ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ନିଜର ପ୍ରତିକ୍ରିୟାରେ ପ୍ରକୃତି କହିଥିଲେ, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି । ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା ରହିଛି । ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇ ନାହିଁ। ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ହାଇକୋର୍ଟରେ ଅପିଲ କରିଛନ୍ତି ପ୍ରକୃତି ମିଶ୍ର। ଯେଉଁଭଳି ଭାବେ ପ୍ରକୃତିଙ୍କୁ ବିଚ ରାସ୍ତାରେ ଆକ୍ରମଣ କରାଗଲା ସେ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଖାରବେଳ ନଗର ଥାନା ପୋଲିସ ଉପଯୁକ୍ତ ଦଫା ଲଗାଇ ନ ଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ।