ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି, ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟରେ ମାମଲା କଲେ ଦାଏର

କଟକ (କେନ୍ୟୁଜ): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ କମିଶନରେଟ ପୋଲିସ ନିକଟରେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଏକ ପିଟିସନ ମାଧ୍ୟମରେ ସେ ହାଇକୋର୍ଟଙ୍କୁ ଜଣାଇଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି ।ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ଏହି ଏତଲା କରିଥିଲେ । ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ନିଜର ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି । ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା ରହିଛି ।’

ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ପୋଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା ।ଏଥିସହିତ କ୍ରିଷ୍ଣାପ୍ରିୟା ମିଶ୍ର ଖାରବେଳନଗର ଥାନାରେ ମାମଲା ରୁଜ୍ଜୁ କରିଥିଲେ। ମାମଲାରେ ଅଭିଯୁକ୍ତ ଅଛନ୍ତି ତ୍ରିପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀ। ଉଭୟଙ୍କୁ ଖାରବେଳନଗର ଥାନା ପୋଲିସ ସିଆରପିସିର ଧାରା ୪୧ ଅନୁଯାୟୀ ନୋଟିସ ଜାରି କରିଛି। ଉଭୟେ ମଧ୍ୟ ଥାନାରେ ପୋଲିସ ନୋଟିସ ପାଇ ହାଜର ହୋଇଛନ୍ତି।

ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇ ନାହିଁ। ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ହାଇକୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.