ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ। ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆଜି ତାଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଯେଉଁ ଉଦ୍ଦେଶ୍ୟ ରଖି ଖେଳର ବିକାଶ ପାଇଁ ପଠାଇଥିଲେ , ସରକାର ଯିବାପରେ ମୁଁ ଓସିଏ ସଭାପତି ହୋଇ କରି ପାରିବି ନାହିଁ ବୋଲି ଓସିଏ ସମ୍ପାଦକ ସଞ୍ଚୟ ବେହେରାଙ୍କୁ କହିଥିଲେ ପ୍ରଣବ ପ୍ରକାଶ ଦାସ ।

ତେଣୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତାଫା ଦେଇଥିବା କଥା କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ବିଶେଷ କରି ଗତ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ଓସିଏର ବିଭିନ୍ନ ବୈଠକ ଅନୁପସ୍ଥିତ ରହୁଥିଲେ। ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବେ ସଭାପତି ଦାୟିତ୍ବ ତୁଲାଇବେ ।  ଆଗାମୀ ୪୫ ଦିନ ଭିତରେ ନୂତନ ସଭାପତି ଲାଗି ନିର୍ବାଚନ କରାଯିବ।  ଆଜି ଅନୁଷ୍ଠିତ ଓସିଏ ର ବାର୍ଷିକ ସାଧାରଣ ପରିଷଦ ବୈଠକ ରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଅନ୍ୟପଟେ ଓସିଏର ନୂଆ ସଭାପତି କିଏ ହେବ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା।  ତେବେ ସଭାପତି ପଦ ରେଶରେ ଅନୁଗୁଳ ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ନାଁ ଚର୍ଚ୍ଚା ହୋଇଥିବା ଜଣାପଡିଛି ।  ମୁଁ ଇଛୁକ ନାହିଁ କିନ୍ତୁ ଓସିଏ ର ଟିମ ଯାହା ନିଷ୍ପତ୍ତି ନେବ ସେଇ ଆନୁସାରେ ଆମେ ସରକାରଙ୍କ ସହ ଆଲୋଚନା କରି ବାରବାଟିର ବିକାଶ କରିବୁ ବୋଲି କହିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।

ଗତ ୨୦୨୨ ମସିହା ଅକ୍ଟୋବର ମାସ ୨୮ ତାରିଖରେ ଅନୁଷ୍ଠିତ ହୋଇଥିଲା ଓସିଏ ନିର୍ବାଚନ । ଏହି ନିର୍ବାଚନ ରେ ଯାଜପୁର କ୍ରିକେଟ ସଙ୍ଘ ସଭାପତି ଥିବା ପ୍ରଣବ ପ୍ରକାଶ ଦାସ ନିର୍ଦ୍ୱନ୍ଦ ରେ ଓସିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।  ତେବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ନଭେମ୍ବରରେ ପୁରିଥାନ୍ତା କିନ୍ତୁ ୧୦ ମାସ ପୂର୍ବରୁ ସେ ତାଙ୍କ ଇସ୍ତଫା ପତ୍ର ଓସିଏ କୁ ପଠାଇଛନ୍ତି।

ତେବେ ଏହା ପୂର୍ବରୁ ବିଜେଡି ସରକାର ଯିବା ପରେ ପରେ ବା ନିର୍ବାଚନ ପରେ ପରେ ଓଡିଶା ଫୁଟବଲ ସଂଘରୁ ଇସ୍ତଫା ଦେଇଥିଲେ ବିଜେଡି ନେତା ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ତେବେ ଦେବାଶିଷଙ୍କ ଇସ୍ତାଫା ପରଠାରୁ ଓସିଏ ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ କେବେ ଇସ୍ତଫା ଦେଉଛନ୍ତି ସେ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ।