OCAରେ ଆରମ୍ଭ ହେଲା ପ୍ରଣବଙ୍କ ଇନିଂସ, ସଭାପତି ଭାବେ ଦାୟିତ୍ୱ ନେଲେ

କଟକ(କେନ୍ୟୁଜ୍):  ଆରମ୍ଭ ହେଲା ବବିଙ୍କ କ୍ରିକେଟ ଇନିଂସ । ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାଶ । ପଙ୍କଜ ଲୋଚନ ମହାନ୍ତି ହେଲେ ଉପସଭାପତି । ସଞ୍ଜୟ ବେହେରା ପୁଣି ହେଲେ ଓସିଏ ସମ୍ପାଦକ । କୋଷାଧ୍ୟକ୍ଷ ହେଲେ ଖୋର୍ଦ୍ଧାର ବିକାଶ ଚନ୍ଦ୍ର ପ୍ରଧାନ । ଯୁଗ୍ମ ସମ୍ପାଦକ ହେବେ ସୁନ୍ଦରଗଡ଼ର ପ୍ରଭାତ କୁମାର ଭୋଳ । ଦାୟିତ୍ୱ ନେବା ପରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବାରବାଟୀ ଷ୍ଟାଡିୟମ ସହ ରାଜ୍ୟର ୩୦ ଜିଲ୍ଲାରେ କ୍ରିକେଟର ଉନ୍ନତି ପାଇଁ କାମ କରିବୁ । ତୃଣମୂଳ ସ୍ତରରେ କ୍ରିକେଟକୁ ଆଗକୁ ନିଆଯିବ । ସମସ୍ତ ଜିଲ୍ଲାର କ୍ରୀଡା ସଂଘର ସହଯୋଗରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ବିକାଶ ପାଇଁ ସବୁବେଳେ ପ୍ରୟାସ କରୁଛନ୍ତି । କ୍ରିକେଟ ଓ ବାରବାଟୀ ଷ୍ଟାଡିୟମକୁ ନେଇ ଅନେକ ଯୋଜନା ରହିଛି ବୋଲି କହିଛନ୍ତି ଓସିଏ ସଭାପତି । ଅନ୍ୟପଟେ ସଞ୍ଜୟ ବେହେରା କହିଛନ୍ତି, ଗ୍ରାମାଞ୍ଚଳରେ କ୍ରିକେଟର ବିକାଶ ପାଇଁ ଯୋଜନା ପ୍ରସ୍ତୁତି ହେଉଛି । ବର୍ତ୍ତମାନ ସୁଦ୍ଧା ୮ ହଜାର ୭୦୦ ଜଣ ସିନିଅର ଓ ଜୁନିଅର କ୍ରିକେଟ ଖେଳାଳିଙ୍କ ପଞ୍ଜିକରଣ କରାଯାଇଛି । କ୍ରିକେଟକୁ ନେଇ ୨୦୨୪ ପାଇଁ ଭିନ ସ୍ଥିର କରାଯାଇଛି । କଟକ-ଭୁବନେଶ୍ୱରକୁ ସ୍ପୋର୍ଟସ ହବ୍‌ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ରହିଛି । ଏହାକୁ ପୂରଣ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ସଞ୍ଜୟ ବେହେରା । ୩୦ ଜିଲ୍ଲାରେ କ୍ରିକେଟ ଏକାଡେମୀ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.