ଆଜି ପ୍ରଥମାଷ୍ଟମୀ: ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର, ଲାଗି ହେବେ ମାମୁଁଘର ଆସିଥିବା ନୂଆ ପାଟବସ୍ତ୍ର

ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର । ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର । ନିଆଳି ବ୍ଳକର ମାଧବାନନ୍ଦ ଜୀଉଙ୍କ ପୀଠରୁ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ,ସହିତ ବିଭିନ୍ନ ପ୍ରକାରର ଫୁଲ ଫଳ ନେଇ ଭାର ଗତକାଲି ଶ୍ରୀକ୍ଷେତ୍ର ପହଞ୍ଚିଥିଲା । ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯିବ ।

ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହ ମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା ,ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି । ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତତ୍ପରେ ବେଶ ସୁଦୁସୁଆର ଠା କରିବା ପରେ ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି। ଏହି ପୂଜା ଶେଷ ପରେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ।

ପ୍ରଥମାଷ୍ଟମୀ ପାଇଁ ପୂରପଲ୍ଲୀରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଅନୁଷ୍ଠିତ ହୋଇଛି ପୂଜାବିଧି । ମା’ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି ।

 

You might also like