ମହାପ୍ରଭୁଙ୍କ ରତ୍ନଭଣ୍ଡାର: ରହିଛି ୩୭୬ ପ୍ରକାରର ସ୍ଵର୍ଣ୍ଣ ଅଳଙ୍କାର, ୧୯୭୮ରେ ଶେଷ ଥର ପାଇଁ ଖୋଲା ହୋଇଥିଲା
ପୁରୀ : ରହସ୍ୟ ଘେରରେ ରହିଛି ମହାପ୍ରଭୁଙ୍କ ଭିତରର ରତ୍ନଭଣ୍ଡାର । ଭିତର ଭଣ୍ଡାରରେ କେତୋଟି ଗୃହ ରହିଛି, ଏ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କୁହାଯାଉଛି, ଭିତର ଭଣ୍ଡାରର ସମସ୍ତ ଗୃହ ଏପର୍ଯ୍ୟନ୍ତ ଖୋଲିବାକୁ କେହି ସାହସ କରିନାହାନ୍ତି । କୁହାଯାଏ, ରତ୍ନଭଣ୍ଡାରର ଉଚ୍ଚତା କମ୍ । ଆଉ ଭିତର ଥାଏ ଘନ ଅନ୍ଧକାରମୟ । ଏହା ହିଁ ଅଧିକ ରହସ୍ୟ କରିଦେଇଥାଏ ପୂରା ରତ୍ନଭଣ୍ଡାରକୁ । ଶୁଣିବାକୁ ମିଳେ ତୃତୀୟ ଓ ଚତୁର୍ଥ ଭଣ୍ଡାର ଖୋଲିବାକୁ ଇଂରେଜ ଶାସନ ଅମଳରେ ଜଣେ ଜିଲ୍ଲାପାଳ ଉଦ୍ୟମ କରିଥିଲେ । ହେଲେ ମହାବିପଦ ମାଡିଆସିବାରୁ ଏଥିରେ ସେ ନିବୃତ ରହିଥିଲେ ।
ତେବେ ୧୯୭୮ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା । ୬ ଜଣିଆ କମିଟି ବାହାର ଭଣ୍ଡାର, ଭିତର ଭଣ୍ଡାର ଓ ଚଳନ୍ତି ଭଣ୍ଡାରର ଥିବା ସମସ୍ତ ଅଳଙ୍କାରର ଗଣତି କରିଥିଲେ। ମେ ୧୩ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ପ୍ରାୟ ୭୦ ଦିନ ଧରି ଚାଲିଥିଲା ରତ୍ନଭଣ୍ଡାରରେ ଗଣତି ଓ ମଣତି କାର୍ଯ୍ୟ । ଏହି ଗଣତି କାର୍ଯ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ରେକର୍ଡ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ରହିଛି ।
ଏହି ତଥ୍ୟ ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ୩୭୬ ପ୍ରକାରର ସ୍ଵର୍ଣ୍ଣ ଅଳଙ୍କାର ରହିଛି । ଏହି ଅଳଙ୍କାରର ଓଜନ ପ୍ରାୟ ୪ ହଜାର ୩୬୪ ଭରି ବୋଲି ଜଣାପଡ଼ିଛି। ସେହିପରି ଏଥିରେ ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିବା ବେଳେ ଏହାର ଓଜନ ୧୪ ହଜାର ୮୭୮ ଭରି ରହିଛି l ବାହାର ରତ୍ନ ଭଣ୍ଡାରରେ ୭୯ ପ୍ରକାରର ସ୍ଵର୍ଣ୍ଣ ଅଳଙ୍କାର ରହିଥିବା ବେଳେ ଏହାର ଓଜନ ପ୍ରାୟ ୮ହାଜର ୧୭୫ ଭରି। ସେହିପରି ଏଥିରେ ୩୯ ପ୍ରକାରର ରୁପା ଅଳଙ୍କାର ରହିଥିବା ବେଳେ ଏହାର ଓଜନ ପ୍ରାୟ ୪ହଜାର ୬୭୧ଭରି ଥିବା ସୂଚନା ରହିଛି । ଅନ୍ୟପକ୍ଷରେ ଚଳନ୍ତି ଭଣ୍ଡାରରେ ୮ ପ୍ରକାରର ସ୍ଵର୍ଣ୍ଣ ଅଳଙ୍କାର ଥିବା ବେଳେ ଏହାର ଓଜନ ୨୯୯ ଭରି । ରହିଥିବା ୨୩ ପ୍ରକାରର ରୁପା ଅଳଙ୍କାରର ଓଜନ ପ୍ରାୟ ୨ ହଜାର ୬୦୩ ଭରି ବୋଲି ଶେଷ ଗଣତିରୁ ଜଣା ପଡ଼ିଥିଲା ।
ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗିଥାନ୍ତି ବୋଲି ଲୋକକଥା ରହିଛି । କୁହାଯାଏ, ଯେଉଁ ସମୟରେ ବହୁ ଦ୍ୱାର ବିଶିଷ୍ଟ ଭିତର ଭଣ୍ଡାରକୁ ଖୋଲିବାକୁ ଉଦ୍ୟମ ହୋଇଛ ବହୁ ବାଧାବିଘ୍ନ ଘଟିଛି । ଅବଶ୍ୟ ଏହାର କିଛି ପ୍ରମାଣ ଲିପିବଦ୍ଧ ହୋଇନାହିଁ । ଅନେକ ପ୍ରକାର ଲୋକକଥା ଓ ପିଢ଼ି ପରେ ପିଢ଼ି ରହିଥିବା ବିଶ୍ୱାସ ରତ୍ନଭଣ୍ଡାରକୁ ଅଧିକ ରହସ୍ୟମୟ କରିଦେଇଛି ।
ତେବେ ଜୁଲାଇ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅନୁଷ୍ଠାନିକ ଘୋଷଣା ହୋଇନଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସୂଚୀକୁ ନେଇ ଚର୍ଚ୍ଚା ଜୋର ଧରିଛି । କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶlୟତ ଆସନ୍ତା ୫ ତାରିଖରେ ପୁରୀ ଆସୁଛନ୍ତି । ଜଷ୍ଟିସ ଅରିଜିତ ପଶlୟତ ଆସନ୍ତା ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହି ରତ୍ନଭଣ୍ଡାର କାର୍ଯ୍ୟର ତଦାରଖ କରିବେ । ପରେ ୨୮ରେ ଦିଲ୍ଲୀ ଫେରିଯିବାର ଗସ୍ତ ସୂଚୀରେ ଉଲ୍ଲେଖ ରହିଛି ।