ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ନୟାଗଡ଼: ହୋହାଲ୍ଲାରେ କମ୍ପୁଛି ହସ୍ପିଟାଲ ପରିସର । ଏପଟେ ଘର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଅଞ୍ଚଳ । ଡାକ୍ତରଙ୍କୁ ଗିରଫ ଦାବି କରି ଶହ ଶହ ଲୋକେ ହସ୍ପିଟାଲ ବାହାରେ ରୁଣ୍ଡ ହୋଇଛନ୍ତି । ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଆଣିଥିଲେ ପରିବାର ଲୋକେ । କିଛି ଘଣ୍ଟାରେ ଘରକୁ ଆସିଥାଆନ୍ତି ନୂଆ ଅତିଥି। କିନ୍ତୁ କ୍ଷଣିକରେ ସବୁ ଖୁସି ଉଭେଇ ଗଲା । କିନ୍ତୁ ଠିକ୍ ସମୟରେ ମହିଳାଙ୍କୁ ମିଳିଲାନି ଚିକିତ୍ସା । ଆଉ ପ୍ରସବ ବେଦନାରେ ଛଟପଟ ହୋଇ ମା’ ଛୁଆଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ନୟାଗଡ଼ ବାଲୁଗାଁ ଗାଁର ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ବାଇଁ । ସେ ପ୍ରସବ ପାଇଁ ଗତକାଲି ରାତିରେ ଡାକ୍ତରଖାନା ଆସିଥିଲେ । କିନ୍ତୁ ଅଭିଯୋଗ ହୋଇଛି ମହିଳାଙ୍କର ଚିକିତ୍ସା କରିନଥିଲେ ଡାକ୍ତର । ଦୀର୍ଘ ସମୟ ଧରି ପ୍ରସବ ବେଦନାରେ ଛଟପଟ ହେବା ପରେ ମମତାଙ୍କ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି । ଡାକ୍ତରଙ୍କୁ ଗିରଫ ଦାବି କରି ଶହ ଶହ ଲୋକ ଡାକ୍ତରଖାନା ପରିସରରେ ରୁଣ୍ଡ ହୋଇଛନ୍ତି ।

ଶାନ୍ତି ଶୃଙ୍ଖଳା ପାଇଁ ନୟାଗଡ଼ ଏସଡିପିଓଙ୍କ ସମେତ ୩ ଜଣ ଇନ୍ସପେକ୍ଟର ଓ ଗୋଟିଏ ପ୍ଳାଟୁନ ଫୋର୍ସ ହସ୍ପିଟାଲରେ ମୁତୟନ କରାଯାଇଛି । ମୃତ ମହିଳାଙ୍କ ପରିବାର, ମେଡିକାଲର କର୍ତ୍ତୃପକ୍ଷ ଓ ପୋଲିସ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶୀଘ୍ର ସମାଧାନ ହୋଇଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ଏଭଳି ଘଟଣା ପ୍ରଥମ ନୁହଁ ପୂର୍ବରୁ ବହୁଥର ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ଅଭିଯୋଗ ହୋଇଛି ।

Also Read:ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ, ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି