ରାତି ପାହିଲେ ଭୋଳାବାବାଙ୍କ ପ୍ରସିଦ୍ଧ ଜାଗରଯାତ୍ରା, ଚଳଚଞ୍ଚଳ ହୋଇପଡିଛ ଏକାମ୍ର କ୍ଷେତ୍ର

ଭୁବନେଶ୍ବର(କେନ୍ୟୁଜ୍): ରାତି ପାହିଲେ ଜାଗର । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆସନ୍ତାକାଲି ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ପ୍ରଶାସନ । ଆସନ୍ତାକାଲି ଭୋର ୩ଟାରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ । ଏହାପରେ ମଙ୍ଗଳ ଆଳତୀ, ଅବକାଶ ପରେ ସାହାଣ ମେଳା ଅନୁଷ୍ଠିତ ହେବ । ରାତି ୧୦ଟାରେ ମହାଦୀପ ଉଠିବ । ତାପରେ ହରିହର ଭେଟ ଅନୁଷ୍ଠିତ ହେବ । ମନ୍ଦିର ଚାରିପଟେ ନୀତି ନିର୍ଘଣ୍ଟ ସୂଚନା ଲଗାଯାଇଥିବା ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସକ । ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରୁ ପ୍ରାୟ ୨ ଶହ ମିଟର ଦୂରରୁ ବ୍ୟାରିକେଡ୍‌ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଅସ୍ଥାୟୀ ସେଡ୍‌ ଓ ଭୋଜନ ମଣ୍ଡପ ସ୍ଥାନରେ ଅସ୍ଥାୟୀ ଷ୍ଟେଜ୍‌ କରାଯାଇଛି । ଜାଗର ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିରକୁ ଅତି ସୁନ୍ଦର ଭାବରେ ସଜା ଯାଇଛି ।