ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉ ଅଣସର ଘରେ ରହିବେ। ଅସୁସ୍ଥତା ଯୋଗୁଁ ତାଙ୍କର ଚିକିତ୍ସା ଆଦି ଚାଲିବ । ତେବେ ପରମ୍ପରା ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ରହିଲେ ୧୪ ଦିନ ପାଇଁ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଆନ୍ତି । ଅନ୍ୟପଟେ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେମିତି ବଞ୍ଚିତ ନହୁଅନ୍ତୁ ସେଥିପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଅଲାରନାଥଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଅଲାରନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ସ୍ୱୟଂ ନାରାୟଣଙ୍କ ସ୍ୱରୂପ । ତେଣୁ ଏଠାରେ ୧୪ ଦିନ ଧରି ଭକ୍ତଙ୍କ ପ୍ରବଳ ଗହଳି ଲାଗେ ।
ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଚତୁ୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ହୋଇଛି । ଏନେଇ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇପଡିଛି । ମହାପ୍ରଭୁଙ୍କ ସ୍ନାନ ପରେ ଅଣସର ଗୃହକୁ ବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ନହେବା ପାଇଁ ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳାରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଜଗନ୍ନାଥଙ୍କ ମାନବୀୟ ଅବତାର ପୀଠରେ ଭକ୍ତମାନଙ୍କ ଭିଡ ଲାଗିଥାଏ । ସେଥିପାଇଁ ବ୍ରହ୍ମଗିରି ଶ୍ରୀ ଅଲାରନାଥ ଦେବଙ୍କ ପୀଠ ପାଲଟି ଯାଇଥାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଏହି ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ବେଶ ଧରି ଶ୍ରୀ ଅଲାରନାଥ ଦେବ ନାରାୟଣ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାଆନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ମନ୍ଦିର ପ୍ରଶାସନ, ସେବାୟତ ନିଯୋଗ, ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି । ଶାନ୍ତି ଶୃଙ୍ଖଳାର ସହ ଭକ୍ତ ମାନେ ମହାପ୍ରଭୁଙ୍କ କିପରି ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ସରିଛି ।
ଶିଳା ବ୍ରହ୍ମ ସ୍ୱରୂପ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଲାରନାଥ ଦର୍ଶନର ମହତ୍ତ୍ୱ ରହିଛି । ଭକ୍ତ ମାନେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନପାଇ ବ୍ରହ୍ମଗିରି ସ୍ଥିତ ଅଲାରପୂର୍ ଗାଁରେ ଥିବା ଶିଳାବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତୀ ନାରାୟଣ ବେଶରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ । ବର୍ଷ ସାରା ଜଗନ୍ନାଥଙ୍କ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ୧୪ ଦିନ ଅଲାରନାଥଙ୍କ ଦର୍ଶନ କଲେ ସେହି ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।