ରାତି ପାହିଲେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର, ଏବେ ରାଜ୍ୟ ସରକାରଙ୍କ ଅନୁମତି ଓ ଏସଓପିକୁ ଅପେକ୍ଷା

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ । ଏବେ କେବଳ ରାଜ୍ୟ ସରକାରଙ୍କ ଅନୁମତି ଓ ଏସଓପିକୁ ଅପେକ୍ଷା । ଆଜି ରାଜ୍ୟ ସରକାରଙ୍କ ଅନୁମତି ଓ ଏସଓପି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ରତ୍ନଭଣ୍ଡାର ଖୋଲିବା ନେଇ ଚାଲିଛି ପ୍ରସ୍ତୁତି। ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟି ଦ୍ବାରା ଏସଓପିକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଠାଯିବା ପରେ ଏହାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି । ଏସଓପିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଅନୁମତି ଓ ଏସଓପି ଆସିବା ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ୪୬ ବର୍ଷ ପରେ ଖୋଲିବାକୁ ଯାଉଛି ଭିତର ରତ୍ନଭଣ୍ଡାର। ପୂର୍ବରୁ ୧୯୮୨ ଓ ୧୯୮୫ରେ ସାମାନ୍ୟ ବ୍ଯବହାର ଅଳଙ୍କାର ପାଇଁ ଏହାକୁ ଖୋଲାଯାଇଥିଲା।

ତେବେ ୨୦୧୮ରେ ଏହି ଉଦ୍ୟମ ଫଳପ୍ରଦ ହୋଇନଥିଲା । ବର୍ତ୍ତମାନ ତାରିଖ ଧାର୍ଯ୍ୟ ହୋଇଛି। ୧୪ ତାରିଖରେ ନିଶ୍ଚୟ ଭିତର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ମରାମତି ପାଇଁ ଏଏସଆଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆବଶ୍ଯକ ପଡ଼ିଲେ ୨୪ ଘଣ୍ଟା କାମ କରି ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି । ସେହିପରି ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଆଭୂଷଣ ଗୁଡିକୁ ନିକଟରେ ଥିବା ଏକ ଘରକୁ ସ୍ଥାନାନ୍ତର କରି ଗଣତି ମଣତି କରିବାକୁ ପ୍ରସ୍ତାବ ଦିଆଯାଇଛି l ଏହିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରି ଅତ୍ୟାଧୁନିକ ଉପାୟରେ ଏହାର ଚିହ୍ନଟ, ଆକଳନ ଓ ମୂଲ୍ୟାୟନ ପାଇଁ କୁହାଯାଇଛି.। ଏହି ସବୁ ପ୍ରସ୍ତାବ ଓ ଏହାର ଆଇନଗତ ଦିଗ ଉପରେ ରାଜ୍ୟସରକାର ବିଚାର କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ l

You might also like