ରୋୖପ୍ୟ ନଗରୀ କଟକରେ ଦୁର୍ଗା ପୂଜା ପାଇଁ ଚାଲିଛି ପ୍ରସ୍ତୁତି: ଏବେବି ମୁସଲିମ ଭାଇ ଭଉଣୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଜରି ମେଢ଼ର ରହିଛି ଚାହିଦା

କଟକ(କେନ୍ୟୁଜ୍): ହଜାରେ ବର୍ଷର ବହୁ ପୁରାତନ ସହର ହେଉଛି ରୋୖପ୍ୟ ନଗରୀ କଟକ । ଏଠାକାର ଶାରଦୀୟ ଦୁର୍ଗା ପୂଜା ବି ସବୁଠୁ ପୁରୁଣା ଓ ନିଆରା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକ ସହରବାସୀ ଏଥିରେ ସାମିଲ ହୋଇ ଏହି ଶାରଦୀୟ ଉତ୍ସବକୁ ପାଳନ କରିଥାନ୍ତି । ବିଗତ ଅନେକ ବର୍ଷ ଧରି ଏଠାରେ ମୁସଲିମ ଭାଇ ଓ ଭଉଣୀ ମାନେ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଯେଭଳି ଅବଦାନ ଦେଇ ଆସିଛନ୍ତି ତାହା ନିହାତି ଭାବରେ ଗର୍ବ ବିଷୟ। ତେବେ ଶାରଦୀୟ ଦୁର୍ଗାପୂଜା ପାଇଁ ମୁସଲିମ ଭାଇ ଭଉଣୀ ମାନେ ଏବେ ଲାଗି ପଡିଛନ୍ତି ଜରି ମେଢ଼ ତିଆରି କାମରେ। ମୁସଲିମ ଭାଇ ଭଉଣୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଜରି ମେଢ଼ର ଢେର ରହିଛି ଚାହିଦା।

କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଦୁର୍ଗା ପୂଜାରେ ମା’ଙ୍କ ର ସୁନା ମୁକୁଟ ସହ ଚାନ୍ଦିମେଢ଼ ପ୍ରସ୍ତୁତ କରାଯାଇଥାଏ । ହେଲେ ଏହାରି ମଧ୍ୟରେ ଜରିମେଢର ଚମକ ମଧ୍ୟ କିଛି କମିନି । ପ୍ରାୟ ପୂଜା ମଣ୍ଡପରେ ଏବେ ବି ବିଭିନ୍ନ ରକମର ଜରି ମେଢ଼ ଚିକ ମିକ କରିବାର ଦେଖିବାକୁ ମିଳିଥାଏ।କଟକ ର ବିଭିନ୍ନ ଅଞ୍ଚଳର ମୁସଲିମ ପରିବାର ଏବେ ରାତି ଦିନ ଏକ କରି ଲାଗିପଡିଛନ୍ତି ଜରି ମେଢ଼ ତିଆରି କାମରେ। କଟକର ମୁସଲିମ ପରିବାର ଦୁଇ ତିନି ପିଢ଼ି ହେଲା ଏହି ଜରି ମେଢ଼ ତିଆରି କରି ଆସୁଛନ୍ତି।। ସେଥି ଲାଗି ମୁସଲିମ ଭାଇ ଭଉଣୀ ମାନଙ୍କର ପିଲା ବେଳୁ ମେଢ଼ ତିଆରି ରେ ଆଗ୍ରହ ରହିଛି।

ବର୍ଷକ ବାର ମାସ ଜରି ମେଢ଼ କାମର ଚାହିଦା ଥାଏ। ଗଣେଶ ପୂଜା, ଦଶହରା, ଖୁଦୁରୁକୁଣୀ ପୂଜା, ରଥଯାତ୍ରା, ବାହାଘର ଭଳି ବିଭିନ୍ନ ସମୟରେ ଏଥିପାଇଁ ଅର୍ଡର ମିଳିଥାଏ।। ପାର୍ବଣ ୠତୁ ରେ ଅଧିକ କାମ ମିଳିଥାଏ।।ଖାଲି କଟକ ନୁହେଁ କଟକ ବାହାରୁ ମଧ୍ୟ ଏହି କାମ ପାଇଁ ଅର୍ଡର ଆସିଥାଏ। ପୂଜା ମଣ୍ଡପ ମାନଙ୍କ ଅର୍ଡର ଅନୁଯାୟୀ ମେଢ଼ର ତିଆରି ହୋଇଥାଏ। । ତେଣୁ ଏହି ପୂଜା ସମୟରେ ରୋଜଗାର ବି ଟିକେ ଅଧିକ ହୋଇଥାଏ।।

କଟକ ସହରର ବାଙ୍କାବଜାର , ଚୂନ ଭାଟି ଗଳି, ଓଡ଼ିଆ ବଜାର , ଫିରିଙ୍ଗିବଜାର, ବକ୍ସିବଜାର, ଭଣ୍ଡାରିସାହି ଭଳି ଅନେକ ସ୍ଥାନରେ ମା’ଙ୍କ ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ମାନେ ମେଢ଼ ତିଆରି କରିଥାନ୍ତି । ଶାରଦୀୟ ଦୁର୍ଗାପୂଜା ରେ ଅନେକ ଲୋକ ଜରିମେଢ ଦେଖିବାକୁ ବିଭିନ୍ନ ମଣ୍ଡପକୁ ଆସିଥାନ୍ତି । ସେହିପରି ମେଢ ସାଜସଜ୍ଜା କ୍ଷେତ୍ରରେ ଜରିମେଢ ଯେତିକି ପୁରୁଣା ସେତିକି ଆକର୍ଷଣୀୟ ଲାଗେ।।ଜରିମେଢ଼ ତିଆରି ସମୟରେ ପ୍ରଥମେ ବାଉଁଶ କଣିରେ ବନ୍ଧାଯାଏ ମେଢ । ପରେ ଛାଞ୍ଚ ତିଆରି କରାଯାଏ । ଏହା ଉପରେ ଜରି , କାଗଜ ପ୍ଲେଟ୍ ଲଗାଯାଇଥାଏ। ଶେଷରେ ଜରି , କାଗଜ , ଭେଲ୍‌ଭେଟ୍ , ଚୁମୁକି, ଷ୍ଟୋନ , କାର୍ଡ ବୋର୍ଡ , ସୋଲ ବ୍ୟବହାର କରି ମେଢ ର ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ , ଯାହା ପୂଜା ସମୟରେ ଶ୍ରଦ୍ଧାଳୁମାନଙ୍କୁ ବହୁତ ଆକର୍ଷିତ କରିଥାଏ ।।ଦୁର୍ଗାପୂଜାର ଦୁଈ ମାସ ଆଗରୁ ଜରିମେଢ଼ କାରିଗର ମାନେ ଏ କାମରେ ଲାଗିପଡିଥାନ୍ତି।। ୫ ଫୁଟରୁ ଆରମ୍ଭ କରି ୨୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାର ମେଢ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଜରି ମେଢ଼ କାରିଗର ମାନେ ପୂଜା ସମୟରେ ୫୦ ହାଜରୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଥାନ୍ତି।

ରୋୖପ୍ୟ ନଗରୀ କଟକରେ ଦୁର୍ଗା ପୂଜା ସମୟରେ ଭିନ୍ନ ଏକ ପରିବେଶ ଅନୁଭବ ହୋଇଥାଏ। ଓଡିଶାର ପ୍ରଥମ ଚାନ୍ଦି ମେଢ ଓ ମେଢରେ ପ୍ରଥମ ସୁନା କାମ ଭାବେ ସାରା ରାଜ୍ୟରେ ଏହାର ସୁନାମ ରହିଛି । ତଥାପି ଏହି ପାର୍ବଣରେ ଆଜିବି ଜରି ଓ ଚାନ୍ଦି ମେଢା ବେଶ୍ ଚାହିଦା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.