ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ଆଜି ଅପରାହ୍ନ ୫ରୁ ଦର୍ଶନ ବନ୍ଦ

ପୁରୀ : ସରି ଆସିଲାଣି ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳଖେଳା । ଜନ୍ମବେଦୀରୁ ପୁଣି ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ନବମୀର ସନ୍ଧ୍ୟା ଦର୍ଶନରେ ଜନ୍ମବେଦୀରେ ବର୍ଷର ଶେଷ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଅପରାହ୍ନ ୫ଟାରୁ ବନ୍ଦ କରାଯିବ ସନ୍ଧ୍ୟା ଦର୍ଶନ। ଆଉ କେଇ ଘଣ୍ଟା ପରେ ଦର୍ଶନ ବନ୍ଦ ହେବାକୁ ଥିବାରୁ ବେଳକୁ ବେଳ ଭିଡ଼ ବଢ଼ିବାରେ ଲାଗିଛି । ଦର୍ଶନ ବନ୍ଦ ପରେ ସଂଧ୍ୟା ଧୂପ ଓ ଆଳତୀ ହେବ । ପରେ ବଡସିଂହାର ଭୋଗ ସରିବା ପରେ ପହୁଡ ଆଳତୀ କରାଯିବ। ଦଇତାପତିମାନେ ସିଂହାସନ ଉପରକୁ ଚଢି ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ କାର୍ଯ୍ୟ କରିବେ । ଏହା ସହ କୋଠ ସୁଆଁସିଆ ସେବକ ସିଂହାସନରେ ଚାରବନ୍ଧା କାର୍ଯ୍ୟ କରିବା ପରେ କୁସୁମୀ ଲାଗି ହେବ। ଆଡ଼ପ ମଣ୍ଡପରେ ଶେଷଥର ପାଇଁ କାଳିଆର ଚକାଆଖି ଟିକେ ଦେଖିବା ପାଇଁ ଭକ୍ତଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଆସନ୍ତାକାଲି ଵାହୁଡାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।

ସେପଟେ ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ସରିଥିବାବେଳେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାର ନିକଟରେ ରଖାଯାଇଛି । ଘୋଷଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତ ପୁରୀ ଆସିଥିବା ବେଳେ ବାହୁଡା ଯାତ୍ରାରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଅଛି । ରଥଯାତ୍ରା ବେଳେ ଦଳଚକଟା ଘଟିଥିବାରୁ ବାହୁଡା ଯାତ୍ରାରେ ଯେପରି ସେଭଳି କିଛି ଅଘଟଣ ନୁହଏ ତାହା ଉପରେ ପ୍ରଶାସନ ଗୁରୁତ୍ବ ଦେଇଛି ।