ନୂଆଖାଇ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ନୂଆପଡା: ଆଉ କିଛି ଦିନପରେ ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଖାଇ। ଏହି ନୂଆଖାଇ ପର୍ବ ପାଳନକୁ ନେଇ ପୁରପଲ୍ଲୀ ଏବେ ବେଶ ଚଳଚଂଚଳ ହୋଇପଡିଛି । ଲୋକେ ଜୋରସୋରରେ ପ୍ରସ୍ତୁତି ପାଇଁ ଲାଗିପଡିଥିବା ବେଳେ ଦୋକାନ ବଜାରରେ କିଣାବିକା ପାଇଁ ସବୁଠିଲୋକଙ୍କ ପ୍ରବଳ ଭିଡ ଲାଗିରହିଛି । ଗାଁ ଗହଳିରେ ଘର ଲିପା ପୋଛା କାମରେ ଲାଗି ପଡିଛନ୍ତି ମହିଳା। ଚାଷୀ ତାର ଅମଳ କରିଥିବା ପ୍ରଥମ ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କଲାପରେ କରି ନବାନ୍ନ ଭକ୍ଷଣ କରିଥାଏ ।

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ହେଉଛି ନୂଆଖାଇ। ପଶ୍ଚିମ ଓଡିଶାର ସମ୍ୱଲପୁର ଭଳି ନୂଆପଡା ଜିଲ୍ଲାରେ ମଧ୍ୟ ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ତିଥିରେ ଈଷ୍ଟଦେବୀ ମାଁ ସମଲେଶ୍ଵରୀ ଓ ରକ୍ତାମ୍ୱରୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ପରିବାର ଲୋକେ ଏକତ୍ରୀତ ହୋଇ ନବାନ୍ନ ଭକ୍ଷଣ କରିଥାନ୍ତି । ଏବର୍ଷ ନୂଆଖାଇ ପର୍ବକୁ ଉସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ନୂଆପଡା ଜିଲ୍ଲାର ଗାଁଠାରୁ ସହର ଯାଏଁ ସମସ୍ତେ ଏବେ ସଜେଇ ହେଉଛନ୍ତି। ବିଶେଷ କରି ମହିଳାମାନେ ଘରଦ୍ଵାର ଲିପାପୁଛା କରିବା ଠାରୁ ନେଇ ଆସବାପତ୍ର ଓ ମାଟିପାତ୍ର ସଫା କରିବାରେ ଲାଗିପଡିଛନ୍ତି ।

ସେହିଭଳି ପୁରୁଷମାନେ ମଧ୍ୟ ଘରଦ୍ଵାର ସଫା ସୁତୁରା ସମେତ ବିଭିନ୍ନ ଦେବାଦେବୀ ପୀଠମାନଙ୍କୁ ସାଜସଜ୍ଜା କରିବାରେ ଲାଗିପଡିଛନ୍ତି । ନବାନ୍ନ ଭକ୍ଷଣ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରେ ଚାକିରୀ କରୁଥିବା ପରିବାରର ସଦସ୍ୟମାନେ ନିଜ ପୈତୃକ ଗାଁକୁ ଫେରିବାରେ ଲାଗିଥିବାରୁ ଆଜି ସବୁଠି ପ୍ରବଳ ଭିଡ ଲାଗିରହିଛି। ସେହିଭଳି ଦୋକାନ ବଜାରରେ ନୂଆଲୁଗା ଓ ପନିପରିବା କିଣାବିକା ସମେତ ନୂଆଧାନ, ଚୂଡା , କୁରେଇପତ୍ର ଓ ନୂଆମାଟି ପାତ୍ର କିଣାକିଣିରେ ଲୋକମାନେ ବ୍ୟସ୍ତ ହୋଇପଡିଛନ୍ତି ।

ନୂଆଖାଇ ଯେତେ ପାଖେଇଆସୁଛି ନୂଆପଡା ଜିଲ୍ଲାବାସୀଙ୍କ ମଧ୍ୟରେ ସେତେ ଉତ୍ସାହ ବଢିବାରେ ଲାଗିଛି ା ଚଳିତ ବର୍ଷ ନବାନ୍ନ ଭକ୍ଷଣ ପାଇଁ ଖଡିଆଳ ରାଜ ଦରବାର ପକ୍ଷରୁ ରାଜ ପୂରୋହିତ ଓ ପଣ୍ଡିତମାନଙ୍କ ଦ୍ଵାରା ଲଗ୍ନ ସ୍ଥିର ହୋଇସାରିଛି । ଏବର୍ଷ ସେପ୍ଟେମ୍ୱର ୮ ତାରିଖ ରବିବାର ଦିନ ଅର୍ଥାତ ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ତିଥି ଦିନ ପୂର୍ବାହ୍ନ ୯.୪୦ ମିନିଟ୍ ରୁ ୧୦.୧୨ ମିନିଟ୍ ମଧ୍ୟରେ ତୁଳ ଲଗ୍ନେ ନବାନ୍ନ ଲାଗି ପାଇଁ ସମୟ ନିର୍ଘଂଟ ହୋଇଛି। ଏହି ସମୟ ଅନୁସାରେ ଖଡିଆଳ ନଗରବାସୀଙ୍କ ସମେତ ସମଗ୍ର ନୂଆପଡା ଜିଲ୍ଲାରେ ସମସ୍ତେ ଏକାସାଙ୍ଗରେ ନବାନ୍ନ ଖାଇବା ପାଇଁ ଅବଗତ କରାଯାଇଛିା ସେହିଭଳି ନୂଆଁଖାଇ ପର୍ବ ପାଇଁ ଗାଁର ଝାଙ୍କର ଘରକୁ ଘର ବୁଲି ନୂଆଧାନର ଖେଡକୁ ଘର ସମ୍ମୁଖରେ ବାନ୍ଧି ଲୋକଙ୍କୁ ନୂଆଖାଇ ପର୍ବର ସୂଚନା ଦେଉଛନ୍ତି ା

ଅପରପକ୍ଷେ ନବାନ୍ନ ଭକ୍ଷଣ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରେ ଚାକିରୀ କରୁଥିବା ପରିବାରର ସଦସ୍ୟମାନେ ନିଜ ପୈତୃକ ଗାଁକୁ ଫେରିବାରେ ଲାଗିଛନ୍ତି ା ନୂଆଖାଇର ପୂର୍ବ ଦିନ ଖଡିଆଳର ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଓ ରକ୍ତାମ୍ୱରୀଙ୍କ ନିକଟରେ ରାଜପରିବାର ପକ୍ଷରୁ ବର୍ଷର ପ୍ରଥମ ଅର୍ଣକୁ ପ୍ରଥମେ ଅର୍ପଣ କରାଯାଏ ା ଏହାପରେ ନୂଆପଡା ଜିଲ୍ଲାର ପୁରପଲ୍ଲୀରେ ସମସ୍ତ ପରିବାରର ଲୋକମାନଙ୍କ ଘରେ ନିଜ ନିଜର ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗିକରିବା ପରେ ପରିବାରର ସମସ୍ତ ସଦସ୍ୟ ଏକତ୍ରୀତ ଭାବେ କୁରେଇପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି ା ପରେ ପରିବାରର ବୟୋଜେ୍ୟାଷ୍ଠ ବ୍ୟକ୍ତିମାନଙ୍କୁ ସାନ ବ୍ୟକ୍ତିମାନେ ସମ୍ମାନ ସହ ଜୁହାର କରି ଆର୍ଶୀବାଦ ନେବା ସହ ହସଖୁସିରେ ମଜା ଉଠେଇଥାନ୍ତି ା

You might also like