ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ରାତିରେ ହେବ ମା’ଙ୍କ ସ୍ଵତନ୍ତ୍ର ପୂଜା

ଆମ ଓଡିଶା ସତରେ ଭାରି ସୁନ୍ଦର । ଏଠାକାର ଚାଲିଚଳନ, ଭାଷା ଆଉ ପୂଜା ପର୍ବାଣୀ କଥା ଖୁବ୍ ନିଆରା । ବାର ମାସରେ ଏଠାରେ ତେର ପର୍ବ ଖୁବ୍ ଧୂମଧାମରେ ପାଳିତ ହୁଏ । ସେଥି ମଧ୍ୟରୁ କାଳୀ ପୂଜା ଅନ୍ୟତମ । ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପ୍ରତୀକ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ରଙ୍ଗୀନ ଆଲୋକ ଓ ଆତସବାଜିର ଧମାକା । ଘରେ ଘରେ ଜମୁଛି ପିଠା ଓ ମିଠାର ଆସର । ବାଣ-ଆତସବାଜିର ଫୁଆରା ସନ୍ଧ୍ୟାକୁ ଅଧିକ ରଙ୍ଗିନ କରୁଛି । ସେପଟେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ବି ଚାଲିଛି । ମାଆ କାଳୀଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ହେଉଛି ମନ୍ଦିର-ମଣ୍ଡପ । ଚାରିଆଡ ରଙ୍ଗୀନ ଝିଲମିଲ ଆଲୁଅରେ ଝଲସୁଛି କୋଠାବାଡ଼ି । ଆଲୋକର ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ।  ଦୀପ ଲଗାଇବା ସହ ପୁରସ୍ପରକୁ ମିଠା ଖୁଆଇ ଦୀପାବଳି ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ ।

ତେବେ ପୁରୀ ଜିଲ୍ଲା ବୀରଗୋବିନ୍ଦପୁରରେ ଥିବା ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମନ୍ଦିରର ରଙ୍ଗ କାର୍ଯ୍ୟ ଠାରୁ ଆରମ୍ଭ କରି ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏବେ ଜୋରଦାର ଆରମ୍ଭ ହୋଇଛି । ତେବେ ଆଜି ରାତିରେ ମା’ଙ୍କ ସ୍ଵତନ୍ତ୍ର ପୂଜା କାର୍ଯ୍ୟ ସମାପନ ହେବା ପରେ ଶୁକ୍ରବାର ମା’ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଚାଲିଛି ମା’ଙ୍କର ରଙ୍ଗ କାମ । ବିଭିନ୍ନ ପ୍ରକାର ରଙ୍ଗରେ ମା’ଙ୍କୁ ସଜ୍ଜା ଯାଇଛି । କାମ କେମିତି ସମ୍ପୂର୍ଣ୍ଣ ହେବ ସେଥିପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି କାରୀଗରମାନେ ।  ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ପବିତ୍ର ଦିପାବଳୀ ଅମାବାସ୍ୟା ଅବସରରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଜ କାର୍ଯ୍ୟରେ ନିମଗ୍ନ ଅଛନ୍ତି କାରୀଗରମାନେ । ଶ୍ମଶାନରୁ ମାଟି ଆସିବା ପରେ ଦୀର୍ଘ ପନ୍ଦର ଦିନ ଧରି ମୂର୍ତ୍ତି ଗଢିବାରେ ଲାଗି ପଡ଼ିଥାନ୍ତି ଏହି କାରୀଗରମାନେ । ନିଶାର୍ଦ୍ଧ ରାତିରେ ମା’ଙ୍କର ଷୋଡ଼ଶ ଉପଚାର କରାଯାଇ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି ବୋଲି ସେବାୟତ କୁହନ୍ତି ।

ମା’ଙ୍କର ମୂର୍ତ୍ତି କାର୍ଯ୍ୟ ସମ୍ପନ୍ନ ହେବା ପରେ ମା’ ଦକ୍ଷିଣ କାଳୀଙ୍କର ମୃଣ୍ମୟୀ ରୂପ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମିଥାଏ । ଏହି ରୂପକୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ମା’ ଦକ୍ଷିଣକାଳୀ ହେଉଛନ୍ତି ପ୍ରତ୍ୟେକ୍ଷ । ଯେତେବେଳେ ଡାକିଲେ ମା’ ଡାକ ଶୁଣନ୍ତି ସେଥିପାଇଁ ସୁଦୂର କୋଲକାତା ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି ଏହି ପୀଠକୁ । ଅନେକ ଭକ୍ତ ମଧ୍ୟ ରାତି ତମାମ୍‌‍ ଉଜାଗର ରହି ମା’ଙ୍କ ଦର୍ଶନ କରିଥାନ୍ତି । ଗୁରୁବାର ନିଶାର୍ଦ୍ଧରେ ମା’ଙ୍କର ପୂଜାର୍ଚ୍ଚନା ଶେଷ ହେବା ପରେ ଶୁକ୍ରବାର ମା’ଙ୍କର ରାଜ ରାଜେଶ୍ବରୀ ବେଶ ସର୍ବସାଧାରଣ ଦର୍ଶନ ପାଇଁ କରାଯିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like