ଆଠଗଡ : ବଡ଼ଓଷା ଏବଂ ପଞ୍ଚକ ବ୍ରତ ପାଇଁ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଜିଲ୍ଲାପାଳ ଦତ୍ତ ରାଓ ରାଏ ସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପଞ୍ଚକ ବ୍ରତ ଚାରିଦିନ ପଡୁଛି । ପଞ୍ଚକ ବ୍ରତ ଆସନ୍ତା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ ।
ପୀଠ ମଧ୍ୟରେ ନଭେମ୍ବର ୧୩ ତାରିଖ ଦିନ ବଡ଼ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ କରାଯାଇ ପରଦିନ ନଭେମ୍ବର ୧୪ ତାରିଖ ଦିନ ଗଜଭୋଗ ବିତରଣ କରାଯିବ । ଶ୍ରଦ୍ଧାଳୁମାନଙ୍କର ଭିଡ଼କୁ ଆଖି ଆଗରେ ରଖି ପ୍ରସାସନ ପକ୍ଷରୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସ୍ଵତନ୍ତ୍ର ବୈଠକରେ ସ୍ଵାସ୍ଥ୍ୟ, ପରିମଳ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାପକ ପୋଲିସ ମୁତୟନ ହେବେ । ପଞ୍ଚୁକରେ ବଡ଼ଓଷା ଦିନ ବଡ ସିଂହାର ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଧବଳେଶ୍ୱର । ଝୁଲାପୋଲକୁ ଚାଲୁ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍ କରାଯାଇ ତଦନ୍ତ ପରେ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।