ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗର ପ୍ରସ୍ତୁତି ଆରମ୍ଭ, ଲକ୍ଷ୍ୟ ଜିରୋ କାଜୁଆଲିଟି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସବୁ ବିଭାଗ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ସ୍ବାସ୍ଥ୍ୟ ବିଭାଗ ତୟାର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଗୁଆ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି। ପୋଜିସନ ନେଲେଣି ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ। ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟ କରିବେ ସରକାର। ଲକ୍ଷ୍ୟ ଜିରୋ କାଜୁଆଲିଟି ।
ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗରେ ଜୋରସୋର ପ୍ରସ୍ତୁତି । ତୁହାକୁ ତୁହା ବୈଠକ । ମୁଖ୍ୟ ଶାସନ ସଚିବ, ଏସଆରସି ବୈଠକ ନେଇ ସାରିଲେଣି । ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କ ସମୀକ୍ଷା । ଲକ୍ଷ୍ୟ ଜିରୋ କାଜୁଆଲଟି । ବାତ୍ୟା ସୂଚନା ମିଳିବା ଦିନରୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ସରକାର ୨୪ ଘଣ୍ଟିଆ କାର୍ଯ୍ୟ କରିବେ । ଜିଲ୍ଲାପାଳମାନେ କଣ କରିବେ, ସେ ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ । ଘରେ ପାଣି ପହଞ୍ଚିବା ପୂର୍ବରୁ ଲୋକେ ଆଶ୍ରୟସ୍ଥଳୀରେ ପହଞ୍ଚିବେ । ସବୁ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ ପୋଜିସନ ନେଇ ସାରିଲେଣି । ରନ୍ଧାଖାଦ୍ୟ ଦେବାକୁ ଏଜେନ୍ସୀ ଗୁଡ଼ିକର ପ୍ରସ୍ତୁତି ସରିଛି ।
ନିଜ ବିଭାଗର ସମୀକ୍ଷା କରିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବୈଠକରେ ଶକ୍ତି ବଭାଗର ପ୍ରମୁଖ ସଚିବ, TPCODL ସିଇଓ, OPTCL ନିର୍ଦ୍ଦେଶକ, ଅପରେସନ୍ସ ମୁଖ୍ୟ ଏବଂ ଶକ୍ତି ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ବାତ୍ୟାରେ ଶକ୍ତି ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଥାଏ । ଲୋକେ ଅନ୍ଧାରରେ ରୁହନ୍ତି । ତେଣୁ ପ୍ରଭାବିତ ହେବାକୁ ଥିବା ସବୁ ଅଞ୍ଚଳରେ ସବୁ ସବଷ୍ଟେସନ୍ ଓ ଗ୍ରୀଡ୍ ଫୋକସରେ ରହିଥିବା କହିଛନ୍ତି ଶକ୍ତି ମନ୍ତ୍ରୀ । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଉତ୍ତରଦାୟିତ୍ୱ ଓ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି କନକ ବର୍ଦ୍ଧନ ।
ବାତ୍ୟା ମୁକାବିଲା ପାଇଁ ସ୍ଵାସ୍ଥ୍ୟ ବିଭାଗ ବଡ଼ ପ୍ରସ୍ତୁତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ଏବଂ ବାତ୍ୟା ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହାର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଡାକ୍ତରୀ ଟିମ ଓ ଡାକ୍ତରଖାନା ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଥିବା ମୁକେଶ ମହାଲିଙ୍ଗ କହିଛନ୍ତି । ସେହିପରି ବାତ୍ୟା ମୁକାବିଲାରେ ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ ପାଇଁ ପରିବହନ ବିଭାଗ ପ୍ରସ୍ତୁତ ରହିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଭୟଭୀତ ନହୋଇ ସତର୍କ ଓ ସଜାଗ ରହିବାକୁ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସରକାର।