ବାତ୍ୟା ‘ଗୁଲାବ’ ଲାଗି ନିର୍ଦ୍ଦେଶାବଳୀ ଜାରି କଲା TPSODL, ଏହି ସବୁ କାମ କରିବାକୁ କଲା ବାରଣ

ଆସୁଛି ବାତ୍ୟା ଗୁଲାବ। ଆଜି ସକାଳେ ଡିପ୍‌ ଡିପ୍ରେସନ୍‌ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏବେ ତୀବ୍ର ବେଗରେ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି ଗୁଲାବ। ବାତ୍ୟାର ଏବେ ଘଣ୍ଟା ପ୍ରତି ବେଗ ରହିଛି ୭ କିଲୋମିଟର। ଆଜି ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପଟ୍ଟନମ୍‌ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ୭୫ରୁ ୮୫ କିଲୋମିଟର ରହିବ। ଏଣୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଅନ୍ୟପଟେ ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ଟିପିଏସ୍‌ଓଡିଲ୍‌(ଟାଟା ପାଓ୍ଵାର ସାଉଥର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌) ପକ୍ଷରୁ ଦକ୍ଷିଣାଞ୍ଚଳର ଲୋକଙ୍କୁ ସଚେତନ କରାଯାଇଛି। ବାତ୍ୟା ଯୋଗୁ ଗଞ୍ଜାମ ଓ ଗଜପତି ଆଦି ଦକ୍ଷିଣାଞ୍ଚଳ ଜିଲ୍ଲାବାସୀ ଅଧିକ ପ୍ରଭାବିତ ହେବା ନେଇ ଏସ୍‌ଆରସି ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ବେଳେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ଯୋଗୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ଏଣୁ ବାତ୍ୟା ବେଳେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଦକ୍ଷିଣାଞ୍ଚଳ ଟାଟା ପାଓ୍ଵାର ପକ୍ଷରୁ କେତେକ ସତର୍କ ସୂଚନା ଜାରି କରାଯାଇଛି।

  • ବାତ୍ୟା ବେଳେ ଘରର ସମସ୍ତ ଇଲେକ୍ଟ୍ରିକ୍‌ ସରଞ୍ଜାମକୁ ବନ୍ଦ ରଖିବାକୁ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।
  • ଏହି ସମୟରେ କୌଣସି ଇଲେକ୍ଟ୍ରିକ୍‌ ତାର, ଟେଲିଫୋନ୍‌ ତାର ଏବଂ ଭଙ୍ଗା ଖୁଣ୍ଟକୁ ନ ଛୁଇଁବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
  • ପବନର ବେଗ ଅଧିକ ଥିବା ବେଳେ ଲୋକମାନଙ୍କୁ ଗଛ ତଳେ କିମ୍ବା କୌଣସି କଚ୍ଚା ଘରେ ଆଶ୍ରୟ ନ ନେବାକୁ କୁହାଯାଇଛି।
  • ବିଜୁଳି, ଘଡ଼ଘଡ଼ି ବେଳେ ଗଛ ମୂଳରେ ନ ରହିବାକୁ ଲୋକଙ୍କୁ କୁହାଯାଇଛି।
  • ଓଦା ହାତରେ ଇଲେକ୍ଟ୍ରିକ୍‌ ତାରକୁ ନ ଛୁଇଁବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
  • କୌଣସି ଇଲେକ୍ଟ୍ରିକ୍‌ ସରଞ୍ଜାମକୁ ଛୁଇଁବା ବେଳେ ହାତରେ ଗ୍ଲୋଭ୍‌, ସେଫ୍ଟି ଜେତା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
  • ବାତ୍ୟା ଓ ପ୍ରବଳ ବର୍ଷା ବେଳେ ପିଲାଙ୍କୁ ପଦାକୁ ନ ଛାଡ଼ିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି।