ସ୍ୱାଗତ ପାଇଁ ଆସିଥିବା ଆଦିବାସୀ ମହିଳାଙ୍କ ସହ ମନଖୋଲି ନାଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୁରଭଞ୍ଜ : ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଜନ୍ମମାଟି ମୟୁରଭଞ୍ଜକୁ ସେ ଆଜି ଚତୁର୍ଥ ଥର ପାଇଁ ଗସ୍ତ କରିଛନ୍ତି । ପ୍ରଥମଥର ପାଇଁ ନିଜ ବାପ ଘର ଉପରବେଡା ଯାଇଛନ୍ତି । ମାଟିର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିଲେ ସ୍ଥାନୀୟ ବାସିନ୍ଦା । ମହାମହିମଙ୍କୁ ସ୍ୱାଗତ କରିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗସାଥି ଓ ପରିବାର ବର୍ଗ । ରାଷ୍ଟ୍ରପତିଙ୍କ ଜନ୍ମମାଟି ଉପରବେଡା ବେଶ ସଜେଇ ହେଇଛି ।

ଆଜି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ରଙ୍ଗାମାଟିଆ ଅସ୍ଥାୟୀ ହେଲିପାଡରେ ଓହ୍ଲାଇଥିଲେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷାରେ ନିଜ ଜନ୍ମମାଟି ଉପରବେଡା ରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ଆଦିବାସୀ ମହିଳାମାନେ ସ୍ୱାଗତ କରିଥିଲେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ନାଚ ଗୀତାର ଆୟୋଜନ କରାଯାଇଥିଲା ତାହାକୁ ଦେଖି ନିଜକୁ ଅଟକାଇ ପାରିନଥିଲେ ମହାମହିମ ।

ସଙ୍ଗେ ସଂଗେ ପ୍ରୋଟୋକଲ ଭାଙ୍ଗି ସେ ଗୀତ ଓ ନୃତ୍ୟ ପରିବେଷଣ କରୁଥିବା ଜାତି ଭଉଣୀ ମାନଙ୍କ ସହ ଧାଡିରେ ଠିଆ ହୋଇଯାଇଥିଲେ ଏହାସହ ନୃତ୍ୟ ମଧ୍ୟ କରିଥିଲେ । ମହାମହିମ ଏହି ସମୟରେ ବେଶ ଖୁସି ରହିଥିବା ଦେଖାଯାଇଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।