ଭୁବନେଶ୍ୱରରେ ରାଷ୍ଟ୍ରପତି, ଆଜି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର : ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପ୍ରବାସୀ ଭାରତୀୟ ଦିବସ ଉଦଯାପନୀ ଉତ୍ସବରେ ଯୋଗ ଦେବେ ମହାମହିମ୍ । ପ୍ରବାସୀ ଭାରତୀୟ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ବିଶେଷମାନଙ୍କ ନାଁ ଘୋଷଣା ସରିଛି । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ ।

ଗତକାଲି ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିବା ପରେ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ । ସେଠାରୁ ସିଧାସଳଖ ରାଜଭବନ ଅଭିମୁଖେ ବାହାରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟରେ ସ୍ବାଗତ କରାଯାଇଥିଲା ।

ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ଓଡ଼ିଶା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ ।  ଖଣ୍ଡଗିରି, ଉଦୟଗିରି, କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ ।  କାହିଁ କେତେ ବର୍ଷ ପୂର୍ବରୁ ଓଡ଼ିଶାର ବେପାରୀମାନେ ବାଲି, ସୁମତ୍ରା, ଜାଭା ଯାତ୍ରା କରୁଥିଲେ । ତାହାର ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି ।  ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବଢ଼ାଇବାକୁ ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ ଓଡ଼ିଶାରେ ଶାନ୍ତିର ରାସ୍ତା ବାଛିଥିଲେ ।  ସେଥିପାଇଁ ଆଜି ଭାରତ କହୁଛି, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି ।