ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର : ଭୁବନେଶ୍ବର ଜିଲ୍ଲା ଜଜ କୋର୍ଟର ନୂତନ ବିଲଡିଂ ଉଦଘାଟିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଉପସ୍ଥିତ ଥିଲେ ରାଜ୍ୟପାଳ ରଘୁବର ଦାସ । ଏହା ସହ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ରାଷ୍ଟ୍ରପତି। ଚାଷକାମରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ଅପିଲ କରିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ-ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପରେ ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଛନ୍ତି । ଆଜି ଦିନ ତମାମ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ । ଗତକାଲି ପୁରୀରେ ନୌସେନା ଦିବସରେ ସାମିଲ ହେବା ପରେ ଏବେ ପୁରୀ ରାଜଭବନରେ ରାତ୍ରି ଯାପାନ କରିଥିଲେ ମହାମହିମ।
ଆସନ୍ତାକାଲି ପୈତୃକ ଗାଁ ମୟୂରଭଞ୍ଜର ଉପରବେଡ଼ା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଯିବା ରାସ୍ତାକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି ରାଙ୍କର ଅଫିସର, ୧୫ ଜଣ ଆଡିସନାଲ DCP ରାଙ୍କର ଅଫିସର, ୪୫ ଏସିପି ରାଙ୍କର ଅଫିସର, ୨୦୦ ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ରାଙ୍କର ଅଫିସର ଅଛନ୍ତି। ଟ୍ରାଫିକ ବ୍ୟବସ୍ଥାକୁ ମିଶାଇ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।