ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କ ଦର୍ଶନ କରିବେ, ପ୍ରସ୍ତୁତି ନେଇ ଛତିଶାନିଯୋଗ ବୈଠକ

ପୁରୀ : ଡିସେମ୍ବର ୪ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ସେଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଛତିଶାନିଯୋଗ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ନୀତିକାନ୍ତି ଯେପରି ସୁରୁଖୁରୁରେ ହେବେ ସେନେଇ ଛତିଶାନିଯୋଗ ବୈଠକରେ ଆଲୋଚନା କରାଯାଇଛି । ଡିସେମ୍ବର ୪ ତାରିଖ ସକାଳ ୧୦ଟା ୧୫ରୁ ୧୦ ଟା ୪୦ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।

ଶ୍ରୀମନ୍ଦିର ଗର୍ଭଗୃହରେ ରାଷ୍ଟ୍ରପତି ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଭୋର ୫ଟାରୁ ଦ୍ବାର ଫିଟାନୀତି ଅନୁଷ୍ଠିତ ହେବ । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସକାଳ ୮ ଟା ୪୫ ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯାଇ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ। ରାଷ୍ଟ୍ରପତି ଦର୍ଶନ ସାରି ଫେରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ।

You might also like