ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ

ମୟୂରଭଞ୍ଜ : ଜନ୍ମ ମାଟିରେ ମହାମହିମ ।  ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ବାଗତ ।  ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଉପରବେଡ଼ାକୁ ମହାମହିମ ଆସିଥିବାରୁ ପୂରା ଗାଁରେ ଉତ୍ସବର ମାହୋଲ ।  ଯେଉଁ ଗାଁରେ ନିଜ ପିଲା ବେଳ କାଟିଥିଲେ ଯେଉଁଠାରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ସେହି ଗାଁ ଉପରବେଡ଼ାକୁ ଯାଇଥିଲେ ।

ପାରମ୍ପରିକ ଆଦିବାସୀ ନୃତ୍ୟରେ ସ୍ବାଗତ କରିଥିଲେ ଗାଁଲୋକ ।  ଏପରିକି ରାଷ୍ଟ୍ରପତି ନିଜେ ପାରମ୍ପରିକ ନୃତ୍ୟରେ ସାମିଲ ହୋଇଥିଲେ ।  ଏହାପୂର୍ବରୁ ରାଷ୍ଟ୍ରପତି ଯାଇଥିଲେ ନିଜେ ପାଠ ପଢିଥିବା ଉପରବେଢ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ । ଏଭଳି ଏକ ଉପାନ୍ତ ଅଞ୍ଚଳରୁ ପାଠ ପଢ଼ି ରାଷ୍ଟ୍ରପତି ହେବେ କେହି କେବେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ ବୋଲି ନିଜ ଅଭିଭାଷଣରେ ସେ କହିଥିଲେ ।

ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସାଳୟରେ ଏସଏଲଏସ ଟ୍ରଷ୍ଟ ପରିଚାଳିତ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି । ସେଠାରୁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଭାବ ବିନିମୟ କରିଥିଲେ ।

ପରେ ପୁନେଶ୍ବର ମହାଦେବ ମନ୍ଦିର ଯାଇ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ମନ୍ଦିର ପକ୍ଷରୁ ମହାମହିମଙ୍କୁ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା ।