୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଙ୍ଗିରିପୋଷି ଗସ୍ତ, ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି ଏଡିଜି

 ମୟୂରଭଞ୍ଜ : ଗାଁକୁ ଯିବେ ମହାମହିମ ।  ଆସନ୍ତା ୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗସ୍ତ କାର୍ଯ୍ୟକ୍ରମ ରହିଛି ।  ଏନେଇ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।  ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ସମୀକ୍ଷା କରିଛନ୍ତି ଏଡିଜି ।

ଏଡିଜି ରାଜେଶ କୁମାର, ଡିଆଇଜି ସତ୍ୟଜିତ ନାଏକ ଓ ଅବିନାଶ କୁମାର ବାଙ୍ଗିରିପୋଷି ପହଁଚି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥଳ ଓ ହ୍ୟାଲିପେଡ ସ୍ଥାନ ନିରୀକ୍ଷଣ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ବାଙ୍ଗିରିପୋଷି ହ୍ୟାଲିପେଡରେ ଭାରତୀୟ ବାୟୁସେନାର ଦୁଇଟି ସ୍ବତନ୍ତ୍ର ହେଲିକପ୍ଟର ଅଭ୍ୟାସ ଆରମ୍ଭ କରିଛି । ସୁରକ୍ଷା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ ।

ବାଙ୍ଗିରିପୋଷିଠାରେ ତିନିଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମହାମହିମ ।  ବାଙ୍ଗିରିପୋଷି – ଗୋରୁ ମହିସାଣି, ବୁଢ଼ାମରା – ଚକୁଳିଆ,ଏବଂ ବାଦାମପାହାଡ – କେନ୍ଦୁଝର ରେଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏ ନେଇ ରେଳବାଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।