ପୁରୀରେ ରାଷ୍ଟ୍ରପତି: ଗର୍ଭ ଗୃହରେ କଲେ ଜଗା ଦର୍ଶନ, ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ପୁରୀରେ ମହାମହିମ । ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କଲେ ରାଷ୍ଟ୍ରପତି । ବଡ଼ଦାଣ୍ଡରୁ ଚାଲିଚାଲି ଶ୍ରୀମନ୍ଦିର ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟ ଓ ଦେଶର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସକାଳ ସାଢ଼େ ୮ଟରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ରାଷ୍ଟ୍ରପତିଙ୍କ ଦର୍ଶନ ପରେ ହେବ ସର୍ବସାଧାରଣ ଦର୍ଶନ ।
ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ନୌସେନାର ପରାକ୍ରମ ଦେଖିବେ । ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି । ଆଜି ପୁରୀ ପୌରପାଳିକାରେ ସମସ୍ତ ସ୍କୁଲ ବନ୍ଦ ।