ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ବାଙ୍ଗିରିପୋଷିକୁ ରେଳ ପ୍ରକଳ୍ପ ଭେଟି । ୩ ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ଚାକୁଳିଆ ରେଳପଥ, ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ । ଏହି ୩ଟି ରେଳ ଲାଇନ ସମୁଦାୟ ୧୮୪ କିଲୋମିଟରରୁ ଅଧିକ ଦୀର୍ଘ ହେବ ଏବଂ ଏଥିପାଇଁ ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ।

ଏହି ୩ଟି ପ୍ରକଳ୍ପ ମାଧ୍ୟମରେ ମୟୁରଭଞ୍ଜ ଓ କେନ୍ଦୁଝର ପରି ଆଦିବାସୀ ଅଞ୍ଚଳ ଓ ଖଣି ଅଧ୍ୟୁଷିତ ଅଞ୍ଜଳରେ ବିକାଶର ନୂଆ ସ୍ରୋତ ଆସିବ। ରେଳ ଯୋଗାଯୋଗ ଏହି ଦୁଇଟି ଜିଲ୍ଲାର ଅର୍ଥନୀତିର ଉନ୍ନତି ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରେଳ ପରିବହନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ, ବାଣିଜ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିବ।

ଏହା ସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁରରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଦିବାସୀମାନଙ୍କର ଗୌରବମୟ ଇତିହାସ ରହିଛି, ସେମାନଙ୍କ ସ୍ବତନ୍ତ୍ର ପରିଚୟ ରହିଛି । ଆଦିବାସୀଙ୍କ ବିକାଶ ପାଇଁ ସରକାର ସବୁବେଳେ ଚେଷ୍ଟିତ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ । ସେମାନଙ୍କ କଳା, ସଂସ୍କୃତିର ସଂରକ୍ଷଣ ଆବଶ୍ୟକ। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମହୋନ ମାଝୀ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି । ଗତକାଲି ନିଜ ପୈତୃକ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଯାଇଥିଲେ ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଉପରବେଡ଼ାକୁ ଆସିଥିବାରୁ ପୂରା ଗାଁରେ ଉତ୍ସବର ମାହୋଲ ଥିଲା ।