ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ ଏକାଉଣ୍ଟରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ଆଜି ଦେଶ ତଥା ବିଶ୍ଵର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି । ଦେଶବାସୀଙ୍କ ଉପରେ ମହାପ୍ରଭୁ ଅପାର କରୁଣା ବର୍ଷାନ୍ତୁ ବୋଲି ସେ କାମନା କରିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମହାପ୍ରଭୁଙ୍କ ଅପାର କରୁଣା ଲାଭ କରି ଆମ ରାଜ୍ୟ ପ୍ରତିଟି କ୍ଷେତ୍ରରେ ବିକାଶର ଶୀର୍ଷକୁ ପହଁଚୁ ଏବଂ ସମସ୍ତଙ୍କ ସହାଭାଗିତାରେ ନୂତନ ସମୃଦ୍ଧ ଓଡ଼ିଶା ଗଠନ ହେଉ, ଏତିକି ପ୍ରାର୍ଥନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।