ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଲେ । ମୋଦିଙ୍କୁ ସ୍ବାଗତ କରିବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବରିଷ୍ଠ ଅଧିକାରୀ । ଏୟାରପୋର୍ଟରୁ ସିଧା ଗାଡ଼କଣ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗାଡ଼କଣ ବସ୍ତିରେ ଆବାସ ହିତାଧିକାରୀଙ୍କୁ ଭେଟିବେ । ଏହାପରେ ୧୪ ରାଜ୍ୟର ୧୩ ଲକ୍ଷ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରିବେ । ସେହିପରି ପିଏମଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବେ । ଏହାସହ ୨୮ଶହ କୋଟି ଟଙ୍କାର ରେଳ ପ୍ରକଳ୍ପ ଓ ଏକ ହଜାର କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି ।
ଏହା ପରେ ଜନତା ମଇଦାନରେ ସୁଭଦ୍ରା ଯୋଜନା ସହ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବେ । ଦିନ ୧୨ଟାରେ ହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ । ପ୍ରଥମଦିନରେ ପ୍ରାୟ ୧୦ ଲକ୍ଷ ମାଆମାନଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା । ସୁଭଦ୍ରା ଯୋଜନାରେ ପ୍ରାୟ ଏକ କୋଟିରୁ ଅଧିକ ୨୧ବର୍ଷରୁ ୬୦ ବର୍ଷ ବୟସ୍କ ମହିଳାଙ୍କୁ ୫ବର୍ଷରେ ପଚାଶ ହଜାର ଟଙ୍କା ଜମାଖାତାକୁ ପଠାଯିବ । ଯୋଜନାର ଶୁଭାରମ୍ଭ ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ବ୍ଯାଙ୍କଖାତାକୁ ଏକଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର । ଏଯାଏ ସୁଭଦ୍ରା ଯୋଜନାରେ ୬୦ଲକ୍ଷରୁ ଅଧିକ ମହିଳା ନାମ ପଞ୍ଜୀକରଣ କରାଇସାରିଛନ୍ତି ।
ସେପଟେ ବିମାନବନ୍ଦରରୁ ଆରମ୍ଭ କରି ଗାଡ଼କଣ ଓ ଉତ୍ସବ ସ୍ଥଳ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି । ଜନତା ମଇଦାନକୁ ଡଗ୍ ସ୍କ୍ବାର୍ଡ ଓ ବମ୍ ସ୍କ୍ବାର୍ଡ ଦ୍ବାରା ତନତନ ଯାଞ୍ଚ କରାଯାଇଛି । ଜନତା ମୈଦାନ ଓ ଗାଡ଼କଣକୁ ନିଜ ନିୟନ୍ତ୍ରଣକୁ ନେଇଛି ଏସପିଜି । ଜନତା ମୈଦାନରେ କାର୍ଯ୍ୟକ୍ରମ ସ୍ଥଳରେ ପ୍ରାୟ ୭୦ହଜାରରୁ ଏକଲକ୍ଷ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି । ସୁରକ୍ଷାରେ ରହିବେ ୮୧ପ୍ଲାଟୁନ ପୁଲିସ ଓ ୨ କମ୍ପାନି ସିଆର୍ ପିଏଫ । ଏହା ସହ ୩ଟି ୟୁନିଟ ସ୍ପେଶାଲ ଟାକ୍ଟିକାଲ ୟୁନିଟ ମଧ୍ୟ ନିୟୋଜିତ କରାଯାଇଛି । ନୂଆ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଆଜି ରାଜଧାନୀରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିଛି । ଏଥିସହ ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ଛୁଟି ରହିବ । ଆଜି ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଜନତା ମଇଦାନରେ ସରକାରୀ କାର୍ଯ୍ୟକ୍ରମ ଥିବାରୁ ବିପୁଳ ସମାଗମ ହେବ । ତେଣୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।