ରାୟଗଡ଼ା ରେଳ ଡିଭିଜନର ଭିତ୍ତିପ୍ରସ୍ତର ହେଲା ସ୍ଥାପନ, ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା ରେଳ ଡିଭିଜନର ଭିତ୍ତିପ୍ରସ୍ତର ହେଲା ସ୍ଥାପନ। ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଓଡ଼ିଶାର ରାୟାଗଡାଠାରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଜାମ୍ମୁରୁ ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାମ୍ମୁ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।
କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ପ୍ରଦୀପ ପାଣିଗ୍ରାହୀ ଓ ସପ୍ତଗିରି ଉଲ୍ଲାକାଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ରାୟଗଡ଼ା ରେଳ ଡିଭିଜନ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ୧୦୭ କୋଟି ଟଙ୍କା ବ୍ୟୟ ହେବ।
ଏହି ଡିଭିଜନ ଅଧିନରେ ପାଖାପାଖି ୫୬୦ କିମି ରେଳପଥ ରହିବ। ୨୦୧୯ ଜୁଲାଇ ୧୭ରେ ରାୟଗଡ଼ା ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା। ୨୦୨୧-୨୨ ରେଳ ବଜେଟରେ ରାୟଗଡା ଡିଭିଜନ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ୱାଲଟିଅର ଅଧିନରେ ଥିବା କିଛି ଷ୍ଟେସନ ରାୟଗଡା ଡିଭିଜନରେ ରହିବ। ଏହାର ସୀମା ଛତିଶଗଡର କିରଣ୍ଡୁଲ ଠାରୁ ଆନ୍ଧ୍ରପ୍ରଦେଶର ବିଜୟନଗର ପର୍ଯ୍ୟନ୍ତ ରହିବ। ରାୟଗଡ଼ା ରେଳ ଡିଭିଜନ ଅଧିନରେ ୮୪ଟି ରେଳ ଷ୍ଟେସନ ରହିବ।