ଜେଲ ସଂସ୍କାର ମାମଲା: ଜେଲରୁ ଭିଡ ଏଡାଇବା ଉପରେ ଦୁଇ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ବାରୋପ

କଟକ(କେନ୍ୟୁଜ୍):  ଜେଲ ସଂସ୍କାର ମାମଲାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜେଲରୁ ଭିଡ ଏଡାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟର ଜେଲ ଗୁଡିକର ଭିଡ ଦୂର ପ୍ରସଂଗରେ କିଛି ଉନ୍ନତି ହୋଇଛି। କିନ୍ତୁ ଏବେ ମଧ୍ୟ ୪ଟି ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୫୦ ପ୍ରତିଶତରୁ ଅଧିକ ବନ୍ଦୀ ରହିଛନ୍ତି। ଯାଜପୁର ଜେଲ ଅବସ୍ଥା ନକହିଲେ ଭଲ। ଯାଜପୁର ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ୧୦୫ ପ୍ରତିଶତ ଅଧିକ ବନ୍ଦୀ ରହିଛନ୍ତି। ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜେଲ ଗୁଡିକରେ ଅଧିକ ବନ୍ଦୀଙ୍କୁ ରଖିବା ଲାଗି କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି। ପୁଲିସ ଗୃହ ନିର୍ମା‌ଣ ବୋର୍ଡ ସହିତ ଜେଲ ଗୁଡିକର କ୍ଷମତା ବୃଦ୍ଧି ପ୍ରସଂଗରେ ଖୁବ୍ ଶୀଘ୍ର ଆଲୋଚନା କରାଯିବ ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା।

 

ଏହି ପ୍ରସଂଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାଜ୍ୟର ୮୭ଟି ଜେଲରେ ମାତ୍ର ୨୧ଟି ଆମ୍ବୁଲାନ୍ସ ରହିଥିବା ବେଳେ ସବୁ ଜେଲ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।ଜେଲରେ ବନ୍ଦୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଦେବା ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ନିଯୁକ୍ତି ପାଇଁ ପ୍ରସ୍ତାବ ରହିଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଥି ସହିତ ଜେଲରେ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଅନ୍ୟ କର୍ମଚାରୀଙ୍କୁ ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଁ ଅନୁମତି ଦିଆଯିବ। ଜେଲରେ ବନ୍ଦୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମନସ୍ତତ୍ତ୍ବବିତ ଓ ଡାକ୍ତରଙ୍କୁ ଚୁକ୍ତିଭିତ୍ତିରେ ନିୟୋଜନ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଯୁବ ବନ୍ଦୀଙ୍କୁ ଅନ୍ୟ ବୟସ୍କ ବନ୍ଦୀଙ୍କ ଠାରୁ ପୃଥକ ଭାବେ ରଖିବା ପ୍ରସଂଗରେ ମେ ୨୧ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯କୁ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.