ଜେଲରୁ ମୁକୁଳିଲେ ହେଲେ ନିଜ ଘର ଠିକଣା ଭୁଲି ଯାଇଛନ୍ତି କଏଦୀ

ସମ୍ବଲପୁର:ଏଇ ଶାନ୍ତ ସରଳ ଚୁପ୍ ଚାପ୍ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ କଏଦୀ । କିନ୍ତୁ ଏ କଏଦୀଙ୍କ ବିଷୟରେ ଏମିତି କିଛି କଥା ଅଛି ଯାହା ଅପଣଙ୍କୁ ଭାବ ବିହ୍ବଳ କରିଦେବ । ଭୁଲ୍ କାମ କରି ସିନା ଜେଲ୍ ଯାଇଥିଲେ କିନ୍ତୁ କୋର୍ଟ ତାଙ୍କୁ ଖଲାସ କରିବା ପରେ ମଧ୍ୟ ଘରକୁ ଆଉ ଫେରି ପାରି ନଥିଲେ । ସବୁ ଯେମିତି ଭୁଲି ଯାଇଛନ୍ତି । ଘର ଠିକଣା ବି ମନେ ପଡ଼ିଲାନି । ଘରକୁ କେମିତି ବା ଯିବେ । ଦୋଷମୁକ୍ତ ହେବା ପରେବି ବନ୍ଦୀ ଜୀବନ ବିତାଉଛନ୍ତି ଯୁବକ ।

୨୦୧୯ ମସିହାରେ ଧନୁପାଲି ପୋଲିସ ଜାବିର ସତ୍ତାର ନାମକ ଜଣେ ଯୁବକଙ୍କୁ ନିଶା କାରବାର ଅଭିଯୋଗରେ ଗିରଫ କରିଥିଲା l ତେବେ ଜେଲକୁ ଯିବା ପରେ ଜାବିରଙ୍କ ବ୍ୟବହାରରେ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ସବୁବେଳେ ଚୁପ ରହୁଥିଲେ, କାହା ସହ କିଛି କଥା ହେଉ ନଥିଲେ l ତାଙ୍କ ପାଇଁ କେସ ଲଢ଼ିବାକୁ ମଧ୍ୟ କାହାକୁ କିଛି କହୁନଥିଲେ l ଶେଷରେ ଜେଲ କର୍ତ୍ତୃପକ୍ଷ ଜାବିର ପାଇଁ ଓକିଲ ଠିକ କରିଥିଲେ l ଜାବିରକୁ ଜାମିନ ମଧ୍ୟ ମିଳିଗଲା l ହେଲେ ଘର ଠିକଣା କହି ନପାରିବାରୁ ଜାବିର ସମ୍ବଲପୁର ଜେଲରେ ୫ ବର୍ଷ ଧରି ରହିଲେ l

ଚଳିତ ମାସ ୧୩ ତାରିଖରେ କୋର୍ଟ ନିର୍ଦ୍ଦେଶ ଦେଲେ ଜାବିରଙ୍କୁ ଖଲାସ କରିବା ପାଇଁ l କୋର୍ଟ ନିର୍ଦ୍ଦେଶ ଅନୁସାରେ ବନ୍ଦୀ ଥିବା କଏଦୀ ଜାବିର ସତ୍ତାରଙ୍କୁ ଜେଲରୁ ଖଲାସ ମଧ୍ୟ କରାଗଲା l ଜାବିର କହିବା ଅନୁଯାୟୀ ତାଙ୍କ ଠିକଣା ଖୋଜିବାକୁ ଜେଲର ଦୁଇଜଣ କର୍ମଚାରୀ ଝାଡ଼ଖଣ୍ଡ ଯାଇ ସେଠାରେ ଅନୁସନ୍ଧାନ କରିଥିଲେ । ହେଲେ ଠିକଣା ନପାଇ ସେଠାରୁ ନିରାଶ ହୋଇ ଫେରିଥିଲେ । ଏପଟେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଜାବିର ଆଉ ଜେଲ୍ ଭିତରେ ରହିବା ସମ୍ଭବ ନଥିଲା । ଖଲାସ କରାଯିବା ପରେ ମାନସିକ ରୋଗୀଙ୍କ ଆବାସିକ ଗୃହ ‘ସମର୍ଥ’ରେ ତାଙ୍କୁ ରଖାଯାଇଛି ।

ଜେଲକୁ ଆସିବା ଦିନଠାରୁ ହିଁ ଜାବିରଙ୍କ ବ୍ୟବହାର ଅସ୍ବାଭାବିକ ଥିଲା l ଭଲରେ କଥାବାର୍ତ୍ତା କରିପାରନ୍ତି ନାହିଁ –କିମ୍ବା ନିଜ ସଂପର୍କରେ କିଛି କହି ପାରନ୍ତି ନାହିଁ। ମାନସିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ା ଯାଇନଥିଲା । ସମ୍ବଲପୁର ଜେଲ ଡିଆଇଜି କହିଛନ୍ତି, ଜାବିରଙ୍କ ଜାମିନଦାର ନଥିଲେ କିମ୍ବା କୌଣସି ପରିବାର ସଦସ୍ୟ ତାଙ୍କୁ ଭେଟିବାକୁ ଆସୁ ନଥିଲେ । ଜାବିରଙ୍କୁ ଜେଲରେ କାହିଁକି ଅଧିକ ଦିନ ରଖାଯିବ ଏଥିପାଇଁ ତାଙ୍କ ଘର ଠିକଣା ଖୋଜା ଯାଇଥିଲା । ସେ ନିଜ ଘର ଠିକଣା କହି ପାରୁନଥିବାରୁ ଝାଡ଼ଖଣ୍ଡ ପୁଲିସ ସହ ଯୋଗାଯୋଗ କରାଯାଇଥିଲା l ପୋଲିସ ତଥ୍ୟ ଅନୁଯାୟୀ ଜାବିରଙ୍କ ବାପା ମହମ୍ମଦ ରେହମାନ, ଘର-ଅଘୋରା ଥାନା ସୋନୁଆଁ ବୋଲି ଲେଖା ରହିଥିଲା ।

ଜେଲ କର୍ତ୍ତୃପକ୍ଷ ବାରମ୍ବାର ରାଞ୍ଚି ପୋଲିସ ସହ ଯୋଗାଯୋଗ କରିଥିଲେ । ପୁଣି ଜେଲରେ ଦିଆଯାଇ ଥିବା ଠିକଣାରେ ଯୋଗା ଯୋଗ କରିଥିଲେ l ହେଲେ କିଛି ଉତ୍ତର ଆସିନଥିଲା । ବର୍ତ୍ତମାନ ଜାବିର ଜେଲରୁ ମୁକୁଳି ପୁଟିବନ୍ଧଠାରେ ଥିବା ଏକ ମାନସିକ ଭିନ୍ନକ୍ଷମଙ୍କ ଆବାସିକ ଆଶ୍ରୟସ୍ଥଳରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି l ସେପଟେ ଜାବିରଙ୍କ ଠିକଣା ଖୋଜିବା ଲାଗି ଜେଲ କର୍ତ୍ତୃପକ୍ଷଙ୍କ ପ୍ରୟାସ ମଧ୍ୟ ଜାରି ରହିଛି । ଏହି ଘଟଣା ସମ୍ପର୍କରେ ସମ୍ବଲପୁର ଜ଼ିଲ୍ଲାପାଳ କହିଛନ୍ତି, ବର୍ତ୍ତମାନ ଜାବିର ଭଲ ଅଛନ୍ତି, ଯଦି ସେ କିଛି ବି ତାଙ୍କ ଘର ସମ୍ପର୍କରେ କହିଲେ ଆମ ଟିମ ଯାଇ ତାଙ୍କ ଠିକଣା ଖୋଜି ତାଙ୍କୁ ଘରେ ହସ୍ତାନ୍ତର କରିବୁ l