କେନ୍ଦ୍ରାପଡ଼ା: ହାଜତ ମୃତ୍ୟୁ ଅଭିଯୋଗରୁ ଉତ୍ତେଜନା, ପୋଲିସକୁ ଦାୟୀ କରି ଥାନା ଆଗରେ ଧାରଣାରେ ବସି ରହିଲେ ପରିବାର ଲୋକେ

କେନ୍ଦ୍ରାପଡ଼ା: ହାଜତ ମୃତ୍ୟୁ ଅଭିଯୋଗରୁ ଉତ୍ତେଜନା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନାରେ ଗତକାଲି ଉତ୍ତେଜନା ଦେଖାଦେଇଥିଲା। ବିଳମ୍ବିତ ରାତିରେ ଏସ୍‌ପି ମୃତକଙ୍କ ପରିବାର ସହ ଆଲୋଚନା କରିବା ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି। ମୃତକଙ୍କ ପରିବାରକୁ ଥଇଥାନ ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ମୃତକ ହେଲେ ଅରଡପଲ୍ଲୀ ଗାଁର ସୁଶାନ୍ତ ବେହେରା। ପୋଲିସ କହୁଛି, ଚୋରା ଦେଶୀ ମଦ କାରବାରରେ ସୁଶାନ୍ତଙ୍କୁ ଧରିଥିଲା। ସୁଶାନ୍ତଙ୍କୁ ଥାନାକୁ ଆଣିବା ପରେ ସେ ଅସୁସ୍ଥ ହେବାରୁ ପ୍ରଥମେ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ନିଆଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୁଶାନ୍ତଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ପରିବାର ଓ ଅରଡପଲ୍ଲି ଗାଁ ଲୋକେ କିନ୍ତୁ ଏଥିପାଇଁ ପୋଲିସକୁ ଦାୟୀ କରି ଥାନା ଆଗରେ ଧାରଣାରେ ବସି ରହିଥିଲେ । ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ଗାଁ ଲୋକେ ଥାନା ପରିସର ଭିତରେ ରହିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।