ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ ପରେ ଗଡିଲା ବସ୍ । ଗତ ଶୁକ୍ରବାର ରାତିରୁ ବନ୍ଦ ଥିଲା ବସ୍ ଚଳା ଚଳ । ବସ୍ ଛାଡିବା ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ହଣା କଟା । ଘଟଣାକୁ ନେଇ ବସ୍ ଚଳା ଚଳ ବନ୍ଦ କରିଥିଲା ବସ୍ ମାଲିକ ସଂଘ । ଆଜି ଜୋନାଲସ୍ତରୀୟ ବସ ମାଲିକ ସଂଘ ବୈଠକ ପରେ ହେଲା ନିଷ୍ପତ୍ତି ।

ବସ ଚଳାଚଳକୁ ନେଇ ଆଗାମୀ ନିଷ୍ପତ୍ତି ବାବଦରେ ଘରୋଇ ବସ ମାଲିକ ସଂଘର ଉତ୍ତର ଓଡ଼ିଶା ଜୋନସ୍ତରୀୟ ବୈଠକ ଆଜି ବେତନଟୀ ସ୍ଥିତ ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ସଂଧ୍ୟାରେ ବସ୍ ଚାଲିବ ବୋଲି ସଂଘ୍ ପକ୍ଷରୁ କୁହାଯାଇଥିଲା । ସନ୍ଧ୍ୟା ପରେ ସ୍ୱାଭାବିକ ହୋଇଥିଲା ବସ୍ ଚଳା ଚଳ । ବାସୁଦେବପୁର, ବାରିପଦା, ବାଲେଶ୍ଵର, ଜଳେଶ୍ବର, ଭଦ୍ରକର ଘରୋଇ ବସ ମାଲିକମାନେ ବୈଠକରେ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ ।

ଏଥି ସହିତ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ବାରିପଦା ଠାରେ ଜିଲ୍ଲା ପ୍ରଶାସନ ସହିତ ସମସ୍ୟାର ସ୍ଥାୟୀ ସମାଧାନ ନେଇ ମଧ୍ୟ ଆଲୋଚନା କରିଛନ୍ତି । ରାଇରଙ୍ଗପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମା ଦୁର୍ଗା ନାମକ ବସଟି ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରିବା ସମୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରଣାସ୍ତ୍ର ଧରି ବସ ମାଲିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ନେଇ ୬ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ରହିଛନ୍ତି । ଏଥି ସହିତ ୪ଜଣ ବସ ମାଲିକଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଯାହାକୁ ନେଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାବ୍ୟାପି ଘରୋଇ ବସ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

You might also like