ରାଜ୍ୟସରକାରଙ୍କ ନିଷ୍ପତ୍ତି, ଏଣିକି ଘରୋଇ ହସ୍ପିଟାଲରେ ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରହିବ ସ୍ବାତନ୍ତ୍ର ସଂରକ୍ଷଣ ବେଡ୍
କେନ୍ୟୁଜ୍(ବ୍ୟୁରୋ): କରୋନା ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଘରୋଇ ହସ୍ପିଟାଲରେ ଏବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରହିବ ସ୍ବାତନ୍ତ୍ର ସଂରକ୍ଷଣ ବେଡ୍। ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରେକଲାରେ ଥିବା ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲମାନେ ଜେନେରାଲ ବେଡର ଅଧା ଓ ଆଇସିୟୁ ବେଡର ୮୦ ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ । ଏହା ସହିତ ଜରୁରୀ ପରିସ୍ଥିତିରେ ସମଗ୍ର ହସପିଟାଲକୁ କୋଭିଡ ହସପିଟାଲରେ ପରିବର୍ତ୍ତନ କରିବାର ବିକଳ୍ପ ରହିବ।
ଗତ ଅଗଷ୍ଟ ୨୮ରେ ଓଡିଶା ସରକାର ଏକ ବିଜ୍ଞପ୍ତି ଜାରି କରି ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ । ଏହା ସହିତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ବାବଦକୁ ଖର୍ଚ୍ଚ ଧାର୍ଯ୍ୟ କରିଥିଲେ । ଜେନେରାଲ ବେଡ୍ ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଦର ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେଉଛି ।