କରୋନା ମହାମାରୀ ପାଇଁ ତିନି ମାସର ସ୍କୁଲ ଫି’ ପଇଠ କରିବାର ଅବଧି କୋହଳ

ଭୁବନେଶ୍ୱର : ସମଗ୍ର ଦେଶ ତଥା ବିଶ୍ୱ ଏବେ କରୋନା ମହାମାରୀ ଜନିତ ବିପର୍ଯ୍ୟୟରେ ଜର୍ଜରିତ ଓ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍କୁଲ ଫି’ ଛାଡ଼, କୋହଳ ବା ସହାନୁଭୂତିର ସହିତ ବିଚାର କରିବାକୁ ଦିଆଯାଇଥିବା ଅପିଲ୍‌କୁ ସମ୍ମାନ ଜଣାଇ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍‌ସ୍ ଆସୋସିଏସନ୍ (ଅପୋସା)ର ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ସଂଘର ପ୍ରତ୍ୟେକ ଜିଲ୍ଲାର ଅଧିକାରୀମାନଙ୍କର ମତକୁ ପ୍ରାଧାନ୍ୟ ଓ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କର ବୃହତ୍ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରି ଏକ ବିଶେଷ ପ୍ରସ୍ତାବ ଗୃହୀତ ହୋଇଥିଲା ।

schoolସମଗ୍ର ରାଜ୍ୟର ଅଭିଭାବକମାନଙ୍କର ଆର୍ଥିକ ଓ ସାମାଜିକ ଦୁସ୍ଥତାକୁ ଦୃଷ୍ଟିରେ ରଖି ସଂଘ ତା’ର ସାମାଜିକ ଦାୟିତ୍ୱ ସ୍ୱରୂପ ତିନି ମାସ (ଏପ୍ରିଲ, ମେ ଏବଂ ଜୁନ୍‌)ର ସ୍କୁଲ ଫି’ ପଇଠ କରିବାର ଅବଧିକୁ କୋହଳ କରିଛି। ଏହାକୁ ବିଦ୍ୟାଳୟ ଖୋଲିବା ପରେ ଜୁନ୍ ମାସ ଶେଷ ସୁଦ୍ଧା ପଇଠ କରିବାର ବିକଳ୍ପ ପ୍ରଦାନ କରିଛି । ଏହି ବର୍ଦ୍ଧିତ ସମୟ ପାଇଁ ଅଭିଭାବକମାନଙ୍କୁ କୌଣସି ବିଳମ୍ବ ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ ।

busସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରାୟ ୯୦୦୦ ଘରୋଇ ବିଦ୍ୟାଳୟରେ ୫ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ । ଏଠାରେ ଲକ୍ଷଲକ୍ଷ ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ମାନର ଶିକ୍ଷା ପ୍ରଦାନ ସହିତ ଲକ୍ଷ ଲକ୍ଷ ପ୍ରତ୍ୟକ୍ଷ କର୍ମନିଯୁକ୍ତି ଓ ତଦୁର୍ଦ୍ଧ୍ୱ ପରୋକ୍ଷ କର୍ମନିଯୁକ୍ତି ଦ୍ୱାରା
ଦେଶ ଗଠନ ମୂଳକ କାର୍ଯ୍ୟ କରିବା ଓ ସରକାରଙ୍କ ନିଯୁକ୍ତି ବୋଝ ଲାଘବ କରିବାର ପ୍ରୟାସ ଜାରିରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସମସ୍ତ ଘରୋଇ ବିଦ୍ୟାଳୟ ଏହି ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ନିଜ ନିଜର କର୍ମଚାରୀମାନଙ୍କୁ ଯଥାସମ୍ଭବ ମାସିକ ବେତନ ଦେବା, ବିଦ୍ୟାଳୟର ଘରଭଡ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଦେବାର ବୋଝ ତଳେ ଚାପି ହୋଇ ଅଛନ୍ତି । ଏହି ତିନି ମାସର ଫି’ ଆଦାୟ ନ ହୋଇପାରିଲେ ଅଧିକାଂଶ ଘରୋଇ ବିଦ୍ୟାଳୟର ଆର୍ଥିକ ବୋଝ ବହନ କରିବାର ଅକ୍ଷମତା ଯୋଗୁଁ ଲକ୍ଷ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଗୁଜୁରାଣ ଓ କିଛି କ୍ଷେତ୍ରରେ ନିଯୁକ୍ତି ହରାଇବାର ସମସ୍ୟା ମଧ୍ୟ ଉପୁଜିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.