ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ କିସ୍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା

ଭୁବନେଶ୍ବର : ଆମେରିକାର ସିନ୍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ କିସ୍ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ । ଆମେରିକାର ସିନ୍ସିନାଟି ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ ଆଜି କିସ୍ ପକ୍ଷରୁ ସମ୍ମାନଜନକ କିସ୍ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି ।
ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ଗ୍ରହଣକରି ପିଣ୍ଟୋ ଶିକ୍ଷା ଓ ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଡ. ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଲେ, ଡ. ସାମନ୍ତଙ୍କ ଦର୍ଶନ ଅନ୍ୟମାନଙ୍କ ପାଇଁ ପ୍ରକୃତରେ ପ୍ରେରଣାଦାୟୀ ।
କିସ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପିଣ୍ଟୋ କହିଲେ ଡ. ସାମନ୍ତ ଆଜି ଯେଉଁ ସଫଳତା ହାସଲ କରିଛନ୍ତି ସେହି ସଫଳତା ହାସଲ କରିବା ପାଇଁ ତୁମ ପ୍ରତ୍ୟେକଙ୍କ ନିକଟରେ ଶକ୍ତି ରହିଛି । ଅନ୍ୟମାନଙ୍କ ପାଇଁ ଭଲ କରିବା ନିମନ୍ତେ ଜ୍ଞାନ ତୁମମାନଙ୍କୁ ଏହି ଶକ୍ତି ଯୋଗାଇଥାଏ । ଡ. ସାମନ୍ତଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ସମସ୍ତଙ୍କ ପାଇଁ ଆଲୋକ ବର୍ତ୍ତିକା ହେବା ଉଚିତ୍ ବୋଲି ସେ କହିଥିଲେ ।
ସିନ୍ସିନାଟି ବିଶ୍ୱବିଦ୍ୟାଳୟ ୨୦୦ବର୍ଷର ଏକ ପୁରୁଣା ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ମାତ୍ର ୨୭ବର୍ଷରେ କିଟ୍ ଓ କିସ୍ର ଏଭଳି ଅଭିବୃଦ୍ଧି ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ସ୍ୱାଗତ ଭାଷଣ ଦେଇ ଡ. ସାମନ୍ତ କହିଲେ, ବିଶ୍ୱର ଏକ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସିନ୍ସିନାଟି ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଉଥିବା ପିଣ୍ଟୋଙ୍କ ଭଳି ଜଣେ ଭାରତୀୟ ବଂଶୋଦ୍ଭବ ଶିକ୍ଷାବିତ୍ଙ୍କୁ ସମ୍ମାନୀତ କରି ଆମେ ଗର୍ବିତ ।
Also read:କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୪ତମ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ