ଶିକ୍ଷାବିତ୍ ପ୍ରଫେସର ବାଉରୀ ବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ଶିକ୍ଷାବିତ୍ ତଥା ସାହିତ୍ୟିକ ଡ. ବାଉରୀ ବନ୍ଧୁ କରଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଛି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଆଜି ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ତାଙ୍କର ଦେହାନ୍ତ ହୋଇ ଯାଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସତ୍ୟନଗର ଶ୍ମଶାନରେ ତାଙ୍କର ଦାହ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।

BAURI-1

ପ୍ରାଧ୍ୟାପକ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନେକ ବର୍ଷ ଧରି ଶିକ୍ଷାଦାନ କରିଥିବା ଡ. କରଙ୍କ ନିଜ ଜନ୍ମମାଟି ହେଉଛି ଯାଜପୁର ଜିଲ୍ଲା ଖଣ୍ଡିତରରେ । ୧୯୫୧ ମସିହା ସେପଟେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଅବସର ନେବା ପରେ ସେ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ନିଜ ବାସଭବନରେ ରହୁଥିଲେ । ଅନେକ ପୁସ୍ତକ ରଚନା କରିବା ସହ ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ଉଚ୍ଚକୋଟୀର ଲେଖା ସବୁ ପ୍ରକାଶିତ ହେଉଥିଲା । ସେ ଜଣେ ସୁବକ୍ତା ମଧ୍ୟ ଥିଲେ । ତାଙ୍କର ଭାଇ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କର ଗତ କିଛି ମାସ ତଳେ ପରଲୋକ ହୋଇଥିଲା ।

ଆହୁରି ଦୁଃଖଦ କଥା ହେଉଛି ଆଜି ତାଙ୍କ ପରିବାରରେ ଆଉ ଗୋଟିଏ ମୃତ୍ୟୁ ହୋଇଛି । ସ୍ୱର୍ଗତ ବାଉରୀ ବନ୍ଧୁଙ୍କ ପିଉସୀ ଶାଶୁ ଶାନ୍ତିମୟୀ ଶାସ୍ତ୍ରୀଙ୍କର ମଧ୍ୟାହ୍ନ ସମୟରେ ଦେହାନ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.