ଜାଲ ସାର୍ଟିଫିକେଟ ଦେଖାଇ ଚଳୁ କଲେ ୩ କୋଟିରୁ ଅଧିକ ଟଙ୍କା, ଯାଞ୍ଚ ବେଳେ ଧରାପଡିଲେ ଜୁଲୋଜି ଅଧ୍ୟାପକ

ଉଦଳା: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ । ମୟୂରଭଞ୍ଜ ଉଦଳା କଲେଜରୁ ଆସିଛି ଏପରି ଅଭିଯୋଗ । ୧୯୯୩ରେ ପିଜି ପାସ କରିଥିଲେ ଜୁଲୋଜି ବିଭାଗ ଅଧ୍ୟାପକ ପ୍ରଭାକର ସାହୁ । କିନ୍ତୁ ତା ପୂର୍ବରୁ ଅର୍ଥାତ ୧୯୯୨ରେ ଚାକିରିରେ କରିଥିବା ଘଟଣା ସାମ୍ନାକୁ ଆସିଛି । ଯୋଗ୍ୟତା ନ ଥାଇ ଓ ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ସ୍ପଷ୍ଟ ହେବା ପରେ କଲେଜ ପ୍ରିନ୍ସିପାଲ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ତେବେ ତଦନ୍ତ ସମୟରେ ଖୋଳତାଡ଼ କରିବାରୁ ଯାଞ୍ଚ କମିଟିର ଅଧ୍ୟାପକ ଆଲୋକ ପ୍ରଧାନଙ୍କୁ ଅଭିଯୁକ୍ତ ଅଧ୍ୟାପକ ଧମକ ଦେଇଛନ୍ତି । ତାଙ୍କ ପରିବାର ପ୍ରତି ବିପଦ ଅଛି ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ତେବେ ଜାଲିଆତି କରି ସରକାରଙ୍କୁ ଚୂନ ଲଗାଇ ୧୯୯୨ ମସିହାରୁ ଚାକିରି କରି ରାଜକୋଷରୁ ୩ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଅଧ୍ୟାପକ ପ୍ରଭାକର । ବଡ଼ସାହି କଲେଜରୁ ଚାକିରି ଆରମ୍ଭ କରିଥିବା ଜାଲି ଅଧ୍ୟାପକ ପ୍ରଭାକର ୨୦୧୫ ମସିହାରୁ ଉଦଳା କଲେଜରେ ଜୁଲୋଜି ବିଭାଗରେ ପାଠ ପଢ଼ାଉଛନ୍ତି । ଘଟଣା ବାବଦରେ ଜାଲି ଅଧ୍ୟାପକ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।

ସେପଟେ କଲେଜରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜକୁ ନିର୍ଦ୍ଦେଶ ଆସିଥିଲା । ଏହି ନିର୍ଦେଶ ପରେ ଦସ୍ତାବିଜ ଯାଞ୍ଚ ସମୟରେ ଘଟଣା ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ : ପିପିଲିରେ ବୋମାମାଡ଼: ଜଣେ ଗୁରୁତର, ୨ ଆହତ