ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ
ଭୁବନେଶ୍ଵର : ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର ସଞ୍ଜୟ ଶତପଥୀଙ୍କର ଭୁବନେଶ୍ବରରେ ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଛି । ଗତ ଅକ୍ଟୋବରରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଖବର ପାଇବା ପରେ ବିଶ୍ଵ ବିଦ୍ୟାଳୟ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ପୁଅ ଏବଂ ଝିଅ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସେ ଗୁରୁତର ହେବା ଖବର ପାଇ ଗତକାଲି ସନ୍ଧ୍ୟାରେ କିଛି ଅଧ୍ୟାପକ ଭୁବନେଶ୍ୱର ଯାଇଥିବାବେଳେ ଆଜି ଆଉ କିଛି ଅଧ୍ୟାପକ ଏବଂ କର୍ମଚାରୀ ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ଯାଇଛନ୍ତି ।
ପ୍ରଫେସର ସଞ୍ଜୟ ଶତପଥୀ ୨୦୨୧ରେ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଯୋଗଦେଇଥିଲେ । ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ ଉନ୍ନତି କରିବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ମିଶି ବିଭିନ୍ନ ସୁବିଧା-ଅସୁବିଧା ବୁଝୁଥିଲେ ପ୍ରଫେସର ସଞ୍ଜୟ ଶତପଥୀ । ସେ ଜଣେ ସୁବକ୍ତା, ଉଦ୍ଘୋଷକ, ସଂସ୍କୃତି ଗବେଷକ ଭାବେ ଓଡ଼ିଶାରେ ତାଙ୍କର ସୁଖ୍ୟାତି ଥିଲା ।