ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିତ୍ବ ବିଧୂ ରାଉଳଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ସମ୍ପାଦକ ବିଧୂ ରାଉଳଙ୍କ ଆଜି ପରଲୋକ ହୋଇ ଯାଇଛି । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଆଜି ସକାଳେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଅପରାହ୍ନ ୨ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ବିଧୂ ରାଉଳ କିଟ୍ ସ୍କୁଲ ଅଫ୍ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସର ପୂର୍ବତନ ଡିନ୍ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।
ସେ ପୁନେ ସ୍ଥିତ ଏଫଟିଆଇଆଇରେ ଶିକ୍ଷା ଗ୍ରହଣ କରିଥିଲେ । ସେଠାରୁ ଶିକ୍ଷା ଶେଷ କରିବା ପରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଛାତ୍ର ଜୀବନରେ ଅଭିନୟ ଠାରୁ ଆରମ୍ଭ କରି ସିନେମା ସହ ଜଡ଼ିତ ବିଭିନ୍ନ ବିଭାଗରେ ସଫଳତାର ସହ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷମାନେ ଶୋକ ପ୍ରକଟ କରିଛନ୍ତି ।