ତାଳ ଗଛ ଲଗାଇଲେ ବଜ୍ରାଘାତରୁ ମିଳିବ ରକ୍ଷା, ଧନ ଜୀବନ ରହିବ ସୁରକ୍ଷିତ
ରାଜ୍ୟରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବର୍ଷ କୁ ବର୍ଷ ବଢ଼ିଚାଲିଛି । ସେଥିପାଇଁ ଚାଲିଛି ତାଳ ମିଶନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବିଶୋଳ ଗ୍ରାମର ସନ୍ତୋଷ ସାହୁ ପେଶାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଭିନ୍ନ ।

ମୟୁରଭଞ୍ଜ(କେନ୍ୟୁଜ): ବଜ୍ରାଘାତ ରୁ ରୋକିବ ତାଳ ଗଛ । ରାଜ୍ୟରେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବର୍ଷ କୁ ବର୍ଷ ବଢ଼ିଚାଲିଛି । ସେଥିପାଇଁ ଚାଲିଛି ତାଳ ମିଶନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବିଶୋଳ ଗ୍ରାମର ସନ୍ତୋଷ ସାହୁ ପେଶାରେ ଜଣେ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଭିନ୍ନ । ସେଥିପାଇଁ ସେ ନିଜ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗଛ ମଣିଷ ଭାବେ ସେ ବେଶ ପରିଚିତ । ସନ୍ତୋଷ କପ୍ତିପଦା ବ୍ଲକ ବଡ଼ଝାଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ତେବେ ପରିବେଶ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଅନ୍ୟ ମାନଙ୍କ ପାଇଁ ହୋଇଛନ୍ତି ଉଦାହରଣ । ବିଶେଷ କରି ବଜ୍ରାଘାତକୁ କିଛି ମାତ୍ରାରେ ରୋକିବା ପାଇଁ ଆଜକୁ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଆରମ୍ଭ କରିଛନ୍ତି ତାଳ ମିଶନ । ତାଙ୍କର ଏହି ଉଦ୍ୟମ ପାଇଁ ସମସ୍ତେ ପ୍ରଂଶସା କରୁଛନ୍ତି ।
ସନ୍ତୋଷ ସାହୁ ନିଜର ଉଦ୍ୟମ ଓ ମନୋବଳ ଯୋଗୁଁ ଆଜି କେବଳ ଏ ଅଞ୍ଚଳ ନୁହେଁ ସାରା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ବିଭିନ୍ନ ଅନୁଷ୍ଠାନରେ ସମ୍ମାନିତ ହୋଇଛନ୍ତି । କପ୍ତିପଦା ଉପଖଣ୍ଡରେ ଅନେକ ଯୁବକ ମାନଙ୍କୁ ସଂଘଠିତ କରି ଏବେ ୨୫ ହଜାରରୁ ଉର୍ଦ୍ଧ୍ୱ ତାଳ ଗଛ ଲଗାଇବାରେ ସକ୍ଷମ ହୋଇ ପାରିଛନ୍ତି । ତାଳ ଗଛ ଲଗାଇବା ଦ୍ୱାରା ବଜ୍ରାଘାତରୁ ରକ୍ଷା ମିଳିବ ଏବଂ ଏହା ସହ ଅନେକ ଧନ ଜୀବନ ସୁରକ୍ଷିତ ରହିବ ବୋଲି କହିଛନ୍ତି ସନ୍ତୋଷ ।
ନିଜର ଇଚ୍ଛାଶକ୍ତି ଓ ମୋନବଳ ଯୋଗୁ ଆଜି ସନ୍ତୋଷ ଏ ସମାଜର ହିତ ପାଇଁ ବାଛି ନେଇଛନ୍ତି ସମାଜସେବା । ଶିକ୍ଷକତା କରିବା ସହ ସମୟ ପାଇଲେ ଯୁବକ ମାନଙ୍କୁ ଏକଜୁଟ କରି ଲଗାଇଥାନ୍ତି ତାଳ ଗଛ । କେବଳ ଯେ ତାଳ ଗଛ ନୁହେଁ ଶିମିଳିପାଳର ସୁରକ୍ଷା ଓ ବାଲ୍ୟ ବିବାହ ଉପରେ ଗାଁ ଗାଁ ରେ ସଚେତନତା ଜାରି ରଖିଛନ୍ତି । ତାଙ୍କର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।