ରାଜ୍ୟର ବିଭିନ୍ନ ଜେଲରେ ଖୁବଶୀଘ୍ର ନିଯୁକ୍ତ ହେବେ ସାଇକାଟ୍ରିକ ସୋସିଆଲ ୱାର୍କର ଓ କ୍ଲିନିକାଲ ସାଇକୋଲୋଜିଷ୍ଟ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞାପ୍ତି

ଜେଲ ସଂସ୍କାର ମାମଲାର ଶୁଣାଣି ସମୟରେ ଜେଲ ଡିଜି ମନୋଜ ଛାବ୍ରା ହାଇକୋର୍ଟରେ ଏହି ତଥ୍ୟ ରଖିଛନ୍ତି । ବିଭିନ୍ନ ଅଦାଲତରୁ ଜାମିନ ପାଇ ମୁକୁଳି ନଥିବା ୪୫ ଜଣ କଏଦୀଙ୍କୁ ତୁରନ୍ତ ଖଲାସ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କଟକ(କେନ୍ୟୁଜ): ରାଜ୍ୟର ବିଭିନ୍ନ ଜେଲରେ ଖୁବଶୀଘ୍ର ନିଯୁକ୍ତ ହେବେ ସାଇକାଟ୍ରିକ ସୋସିଆଲ ୱାର୍କର ଓ କ୍ଲିନିକାଲ ସାଇକୋଲୋଜିଷ୍ଟ । ଏଥିପାଇଁ ଖୁବଶୀଘ୍ର ବିଜ୍ଞାପ୍ତି ପ୍ରକାଶ ପାଇବ । ଜେଲ ସଂସ୍କାର ମାମଲାର ଶୁଣାଣି ସମୟରେ ଜେଲ ଡିଜି ମନୋଜ ଛାବ୍ରା ହାଇକୋର୍ଟରେ ଏହି ତଥ୍ୟ ରଖିଛନ୍ତି । ବିଭିନ୍ନ ଅଦାଲତରୁ ଜାମିନ ପାଇ ମୁକୁଳି ନଥିବା ୪୫ ଜଣ କଏଦୀଙ୍କୁ ତୁରନ୍ତ ଖଲାସ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆସନ୍ତା ଏପ୍ରିଲ ୧୦ ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ କମ୍ପ୍ଲାଏନସ ରିପୋର୍ଟ ଦେବାକୁ କୁହାଯାଇଛି । ଆଜିର ଶୁଣାଣି ସମୟରେ ଜେଲ ଡିିଜି ମନୋଜ ଛାବ୍ରା ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଭର୍ଚୁଆଲରେ ଉପସ୍ଥିତ ରହି ନିଜ ପକ୍ଷ ରଖିଥିଲେ ।  ରାଜ୍ୟର ଯାଜପୁର ଓ ମାଲକାନଗିରି ଜେଲରେ ଭିଡ କମାଇବା ପାଇଁ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଯାଜପୁରରେ ନୂତନ ଜେଲ ସ୍ଥାପନ ନେଇ ୨୦ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଆସନ୍ତା ମେ ୧ ତାରିଖ ସୁଦ୍ଧା ଏହି ଜମି ହସ୍ତାନ୍ତର କରିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାଲକାନଗିରି ଜେଲରେ କଏଦୀଙ୍କ ସଂଖ୍ୟା ବଢିଥିବା ବେଳେ ମାଲକାନଗିରି ନୂଆ ଜେଲ ପାଚେରୀ ଏପ୍ରିଲ ଶେଷ ସୁଦ୍ଧା ସରିବ ।

ଜେଲ ସଂସ୍କାର ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୂରଲୀଧର ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ବିଶେଷ କରି ବନ୍ଦୀଙ୍କ ମାନସିକ ସ୍ୱାସ୍ଥ୍ୟର ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ପାଇଁ ମନସ୍ତତ୍ତ୍ଵବିତଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜେଲରେ ନିଶା ନିବାରଣ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ବାକି ଥିବା କାମ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜୁନ ୨୮ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।